ବିଜେପି ଫୋକସରେ ଓଡ଼ିଶା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ ହେଭିୱେଟ କେନ୍ଦ୍ରୀୟ ନେତା। ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛି ବିଜେପି । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ କରିଛି ବଡ଼ ପ୍ଲାନ। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ। ବିଭିନ୍ନ ସ୍ଥାନରେ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ। ଏଥିସହିତ ୭ଟି ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ରହିବେ ।

ସେହିପରି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଓଡ଼ିଶା ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦା ସଭାରେ ଯୋଗ ଦେବେ ନଡ୍ଡା। ଅନ୍ୟପଟେ ବିଶ୍ବଶର୍ମା ଦେବଗଡ଼, ବଡବିଲ, ଚୌଦ୍ବାର ଓ ବଡମ୍ବାରେ ସଭା କରିବେ।

Leave a Reply

Your email address will not be published. Required fields are marked *