ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । କିଛି ବିଜଦ କର୍ମୀ ଏବଂ କିଛି ପୁଲିସ ଆହତ ହୋଇଛନ୍ତି । ଆଉ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି ଯେ ପୁଲିସର ରବର ବୁଲେଟ୍ ମାଡ଼ରେ ବିଜଦ କର୍ମୀ ଆହତ ହୋଇଛନ୍ତି । ହେଲେ ପ୍ରଶ୍ନ ଏକଥା ସେ ଜାଣିଲେ କେମିତି ? ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଭଳି ସାଂଘାତିକ କଥା କେମିତି କହିଲେ ? କ’ଣ ଏକ ନୂଆ ନ୍ୟାରେଟିଭ ତିଆରି ପାଇଁ ନବୀନ ମିଛ କହିଛନ୍ତି ? କଂଗ୍ରେସ ଓଡ଼ିଶା ବନ୍ଦ ଆନ୍ଦୋଳନ ଡାକରା ଦେଉଥିବାରୁ କାଳେ ଅଧିକ ମାଇଲେଜ ନେଇଯିବ ସେଥିପାଇଁ ସେ ରବର ବୁଲେଟ୍ କଥା ଉଠାଇଥିବା ଆଲୋଚନା ହେଉଛି । ନବୀନ ମିଛ କହୁଛନ୍ତି ବୋଲି କହିବାର ବଡ଼ କାରଣ ହେଉଛି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କ ସୂଚନା । ସେ ସ୍ପଷ୍ଟ କରିଛନ୍ତି ଯେ ବିକ୍ଷୋଭ ବେଳେ ରବର ବୁଲେଟ୍ ମାଡ଼ ହୋଇନାହିଁ । କେବଳ ୫ଟି ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଏକ ରାଜନୈତିକ ଦଳ ଆନ୍ଦୋଳନ ପାଇଁ ଅନୁମତି ନେଇଥିଲା । ସୁରକ୍ଷାକୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ବ୍ୟାପକ ଫୋର୍ସ ମୁତୟନ କରିଥିଲୁ। ବ୍ୟାରିକେଡ୍ ଭାଙ୍ଗିବା ପରେ ପାଣିମାଡ଼ କରାଯାଇଥିଲା, ୫ଟି ସେଲ୍ ଟିୟର ବାଡ଼ କରାଯାଇଥିଲା । ଆନ୍ଦୋଳନକାରୀଙ୍କ ଉପରେ ଡ୍ରୋନ୍ ସାହାଯ୍ୟରେ ନଜର ରଖାଯାଇଥିଲା । ଧାରଣାସ୍ଥଳର ସମସ୍ତ ଗତିବିଧି ଓ ଆନ୍ଦୋଳନ ଦୃଶ୍ୟ ଏଆଇ କ୍ୟାମେରାରେ କଏଦ ହୋଇଛି । ଆମର ବରିଷ୍ଠ ଅଧିକାରୀ ଆପୋଲ ହସ୍ପିଟାଲ ଯାଇ ଆହତଙ୍କୁ ମଧ୍ୟ ଦେଖିଛନ୍ତି । ଆମ ଆହତ ପୁଲିସ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ରବର ବୁଲେଟ୍ ମାଡ଼ ହୋଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ମିଛ। ତେଣୁ ପ୍ରଶ୍ନ କାହିଁକି ନବୀନ ଏଭଳି ଏକ ମିଥ୍ୟା ନ୍ୟାରେଟିଭ୍ ତିଆରି କରିବାର ଉଦ୍ୟମ କରିଛନ୍ତି, ତାଙ୍କୁ ଏହି ଆଇଡିଆ ଦେଲା କିଏ ? Post navigation ଓଡ଼ିଶା ବନ୍ଦ; ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ୍ ପୋଲିସ ରାଜଧାନୀରେ କଂଗ୍ରେସର ଗର୍ଜନ; ଲୋୟର ପି ଏମ୍ ଜି ଛକ ପାଲଟିଲା ରଣକ୍ଷେତ୍ର