ଅନେକ ସରକାରୀ ପଦ ପଦବୀ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଯୁକ୍ତି ସଂକ୍ରାନ୍ତ କିଛି ବିଶେଷ ଘୋଷଣା କରିଛନ୍ତି । ୨୯ହଜାର ଖାଲି ପଦବୀ ପୂରଣ ହୋଇଥିବା ଗତ ମାସ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଭାଜପା ସରକାର କ୍ଷମତାକୁ ଆସିବା ପରେ ଘରୋଇ ସେକ୍ଟରରେ ୧ଲକ୍ଷ ଚାକିରୀ ସୃଷ୍ଟି ହୋଇଥିବା କହିଲେ ମୋହନଚରଣ। ଖୁବଶୀଘ୍ର ୩୪,୫୦୦ ପଦବୀ ପୂରଣ କରିବା ନିମନ୍ତେ ତାଙ୍କ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ୨୨,୮୯୬ ସରକାରୀ ପଦବୀ ପୂରଣ ନିମନ୍ତେ ମଞ୍ଜୁରୀ ଦିଆଯାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ୨ ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀ ପାଇଁ ନିଯୁକ୍ତି ମିଳିବ ବୋଲି ରାଜ୍ୟବାସୀଙ୍କୁ ବିଶେଷକରି ଯୁବବର୍ଗଙ୍କୁ ଆଶ୍ବସ୍ତ କରିଥିଲେ ମୋହନଚରଣ ମାଝୀ। ଏହା ନିଶ୍ଚିତ ଭାବରେ ଆଶା ସୃଷ୍ଟିକାରୀ ଘୋଷଣା। କିନ୍ତୁ ବୁଝି ହେଉନାହିଁ, ମୋହନ ସରକାର କାହିଁ କି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଏତେ ମେହେରବାନ୍ ? ରାଜ୍ୟରେ ବେକାରୀଙ୍କ ସଂଖ୍ୟା ଦ୍ରୁତ ବଢୁଛି। ବୟସ ସୀମା ୪୨କୁ ବଢ଼ାଇ ଦେଇ ସରକାର ପରି ସ୍ଥିତିକୁ ଅଧିକ ଜଟିଳ କରିଛନ୍ତି। ଅପେକ୍ଷାର ବୟସ ସୀମା ୪୨ ? ଗତ ସରକାର ନିଯୁକ୍ତି ମେଳା ଓ ବିଜୁ ଯୁବ ବାହିନୀ ନାମରେ ଯୁବବର୍ଗକୁ ପ୍ରତାରିତ କରିଥିଲେ। ସମସ୍ତେ ଆଶା କରୁଥିଲେ ଯେ ମୋହନ ସରକାର ନିଯୁକ୍ତି ବ୍ୟାପାରରେ ଏକ ତର୍କସଂଗତ ନିୟମ ତିଆରି କରିବେ। କିନ୍ତୁ ଅବସର ନେଉଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇ ଯୁବବର୍ଗଙ୍କୁ ନିରାଶ କରିନାହାନ୍ତି କି ସରକାର ? ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗରେ ୨୦୨୫ରେ ୪୬ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଏମାନେ ନବୀନ ସରକାରଙ୍କ ଅମଳରେ ୨୦୨୨ରେ ସରକାରୀ କର୍ମଚାରୀ ପଦବୀରୁ ଅବସର ନେଇଥିଲେ। ଏହି ପୁନଃ ନିଯୁକ୍ତି ଆବଶ୍ୟକ ଥିଲା କି ? ବନ ଉନ୍ନୟନ ନିଗମରେ ୨୦୦ କର୍ମଚାରୀଙ୍କୁ ଗତ ଅଗଷ୍ଟ ସୁଦ୍ଧା ପୁନଃ ନିଯୁକ୍ତି ଦିଆଯାଇଛି। ଏବାବଦରେ ତଥ୍ୟ ଦେବାକୁ ସରକାର ନାରାଜ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଘରୋଇ ବିଭାଗରେ ୨୦୨୧ ଓ ୨୨ରେ ଅବସର ନେଇଥିବା ୨୪ ଜଣ କର୍ମଚାରୀଙ୍କୁ ଗତ ମାସ ସୁଦ୍ଧା ପୁନଃ ନିଯୁକ୍ତି ମିଳିଛି। କେଉଁ ଦୃଷ୍ଟିରୁ ଏହା ଯୁକ୍ତି ସଂଗତ ? ଓଡ଼ିଶା ଜଳଜ ଶକ୍ତି ନିଗମରେ ୮୪ ଜଣଙ୍କୁ କାର୍ଯ୍ୟକାଳକୁ ଦ୍ଵିତୀୟ କିମ୍ବା ତୃତୀୟ ବାର ବୃଦ୍ଧି କରିଛନ୍ତି ମୋହନ ସରକାର। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୭୬ ଜଣ କର୍ମଚାରୀ ୨୦୨୧ ଓ ୨୨ରେ ଅବସର ଗ୍ରହଣ କରିଥିଲେ । ନବୀନ ସରକାର ସେମାନଙ୍କୁ ପୁନଃ ନିଯୁକ୍ତି ଦେଇ ନଥିଲେ। ଆଶ୍ଚର୍ଯ୍ୟର କଥା ଲୋକଙ୍କ ସରକାର ଆସିବା ପରେ ଗତ ଅଗଷ୍ଟ ମାସ ସୁଦ୍ଧା ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗରେ କେତେ ଯେ ସରକାରୀ କର୍ମଚାରୀ ପୁନଃ ନିଯୁକ୍ତି ପାଇଛନ୍ତି, ତା’ର ହିସାବ ନାହିଁ । ସବୁ ବିଭାଗରେ ପୁନଃ ନିଯୁକ୍ତି ଏକ ରୋଗରେ ପରିଣତ ହୋଇଛି । ସରକାର ଆଉଟ୍ ସୋସିଂ ନିଯୁକ୍ତିକୁ ନାପସନ୍ଦ କରୁଥିବାବେଳେ ବିଜଦ ସରକାରଙ୍କ ଅମଳରେ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ଏତେ ଉଦାର ଏବଂ ମେହେରବାନ୍ ହୋଇ ରାଜ୍ୟର ବେକାରଙ୍କୁ ଉପହାସ କରୁନାହାନ୍ତି କି ? ଅବସର ପରେ ପୁନଃ ନିଯୁକ୍ତି ଏକ ବ୍ୟାଧରେ ପରିଣତ ହୋଇଛି। ଏହାକୁ କେମିତି ଦୂର କରିବେ ମୋହନ ସରକାର ? Post navigation ଭିତରକନିକା ଜଙ୍ଗଲରେ ମାଆପୁଅ ନିଖୋଜ; ୫ ଦିନ ହେବ ମିଳୁନି ପତା ମନମୋହନ ଧାଇଁଲେ ଦିଲ୍ଲୀ, ନୂଆ ତାଲିକା ଧରି ଫେରିବେ