କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ଦୁଇଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଏକ ରାଜନୈତିକ ରୂପ ନେଇସାରିଛି। ଏହା ମଧ୍ୟ ସାଭାବିକ କଥା। ଦୁର୍ନୀତି ଗ୍ରସ୍ତ ଯୋଗାଣ ବିଭାଗଦ୍ବାରା ଅଯଥା ଭାଜପା ସରକାର ବଦନାମ ମୁଣ୍ଡାଇଛି। ତେଣୁ ସମାଲୋଚନା ଶୁଣିବାକୁ ବାଧ୍ୟ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଏକ ମନ୍ତବ୍ୟ ଅନେକ ଚର୍ଚ୍ଚାର ସୂତ୍ରପାତ ଘଟାଇଛି । ତାଙ୍କର ବାର ବର୍ଷର ତପସ୍ୟା ଭାଜପା ସରକାରର ଶୁଖୁଆପୋଡା ଯୋଗୁ ଚାଲିଗଲା ବୋଲି ମନ୍ତବ୍ୟ ଦେଇଛନ୍ତି ନବୀନ । ଏହାଛଡ଼ା ତାଙ୍କ ସରକାର ସମସ୍ତଙ୍କ ପାଇଁ ଏକ ରୋଲ୍ ମଡେଲ ଥିଲେ ବୋଲି କହିଛନ୍ତି ସେ । କିନ୍ତୁ ନବୀନ ବାବୁ କାହାକୁ ତପସ୍ୟା କଥା କହିଲେ ? ତାଙ୍କ ତପସ୍ୟା ଅନ୍ୟ କୌଣସି ଦଳର ଶୁଖୁଆପୋଡାରେ ଚାଲିଗଲା ବୋଲି ନବୀନ ବାବୁ କାହିଁକି ରୋଦନ କରିବେ ? ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ପୂର୍ବ ଅଗଣାକୁ କେବେ ଭଲଭାବେ ଝାଙ୍କି ଦେଖିଛନ୍ତି କି ? ତାଙ୍କର ୨୪ ବର୍ଷର ଭାବମୂର୍ତ୍ତି ଅଥବା ତପସ୍ୟା କେଉଁ ଶୁଖୁଆ ଯୋଗୁ ଚୂଲିକୁ ଗଲା ? ଯେଉଁ ରାଜ୍ୟର ଜନତା ବିଜୁଙ୍କ ପୁଅ ବୋଲି ତାଙ୍କୁ ମୁଣ୍ଡରେ ମୁଣ୍ଡାଉ ଥିଲେ, ପ୍ରତ୍ୟାଖ୍ୟାନ କଲେ କାହିଁକି ? କାହିଁକି ତାଙ୍କ ତପସ୍ୟାର କୌଣସି ବର ଯେତେବେଳେ ସବୁଠୁ ଆବଶ୍ୟକତା ଥିଲା ମିଳିଲା ନାହିଁ ? ଲୋକେ କାହିଁକି ପ୍ରତ୍ୟାଖ୍ୟାନ କଲେ ତାଙ୍କ ଦଳ ଓ ସରକାରକୁ ? ଯଦି ଶୁଖୁଆ କିଏ ଏବେ ସୁଦ୍ଧା ଜାଣିପାରୁ ନାହାଁନ୍ତି ନବୀନ ତେବେ କି ତପସ୍ୟା କରୁଥିଲେ ୨୪ ବର୍ଷ ଧରି ? ତାଙ୍କର ୧୯ ବର୍ଷର ତପସ୍ୟା ଏବଂ ବିରାଟ ଭାବମୂର୍ତ୍ତି କେବଳ ଜଣେ ଅଫିସର ଭୈରବ କାରିକେୟନ ପାଣ୍ଡିଆନଙ୍କଦ୍ୱାରା ଚୁଲିକୁ ଚାଲିଗଲା । କିନ୍ତୁ ଏହାକୁ ଏ ସ୍ବୀକାର କରିବାକୁ ସେ ନାରାଜ। ଯଦି ୨୦୧୯ରେ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ସରକାରକୁ ମୋ ସରକାର ନାମରେ ନିଜର ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନଙ୍କ ହାତକୁ ଟେକି ଦେଇନଥା’ନ୍ତେ ତେବେ ଆଜି ହୁଏତ ଷଷ୍ଠଥର କ୍ଷମତା ଉପଭୋଗ କରୁଥା’ନ୍ତେ ନବୀନ । ବୋଧହୁଏ ତାଙ୍କ ନିବାସରେ ରହୁଥିବା ତପସ୍ୱୀଙ୍କ ପ୍ରଭାବରୁ ନବୀନ ତପସ୍ୟା ଓ ସୁଖ୍ୟାପୋଡ଼ା କଥା କହିଛନ୍ତି । Post navigation ପଶ୍ଚିମବଙ୍ଗରେ ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍; ହେଲପଲାଇନ୍ ନଂ ଜାରି କାଶୀପୁରରେ ହିତାକାରୀଙ୍କୁ ଦିଆଯାଉଛି ପୋକା ଚାଉଳ