ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ହେବାକୁ ବସିଥିଲେ ମଧ୍ୟ ଏଯାଏଁ ଘଟଣାର ସତ୍ୟାସତ୍ୟ ଉପରୁ ପରଦା ଉଠିନାହିଁ । ସେତେବେଳେ ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିଲା । ହେଲେ ପରେ ତତ୍କାଳୀନ ନବୀନ ସରକାର, କ୍ରାଇମ୍‌ବ୍ରାଞ୍ଚ ଓ କିଛି ବରିଷ୍ଠ ପୁଲିସ ଅଧିକାରୀ ଏହାକୁ ଏକପ୍ରକାର କବର ଦେଇଥିଲେ । ହେଲେ ଏବେ ଗୋଟିଏ ପରେ ଗୋଟିଏ ରୋଚକ ଘଟଣା ସାମ୍ନାକୁ ଆସୁଛି । ଆଉ ଏହା ସ୍ପଷ୍ଟ କରୁଛି ଯେ କ୍ରାଇମ୍‌ବ୍ରାଞ୍ଚ ନିର୍ଦ୍ଦିଷ୍ଟ କାହାକୁ ସୁରକ୍ଷା ଦେବା ପାଇଁ ହତ୍ୟା ଘଟଣାର ଦିଗ ବଦଳାଇବାର ବଡ଼ ଚେଷ୍ଟା କରିଥିଲା । ହେଲେ ସେହି ବ୍ୟକ୍ତି କିଏ ?

ପ୍ରଥମେ ଅଭିଯୁକ୍ତ କୁହାଯାଉଥିବା ଗୋପାଳର ବନ୍ଧୁକ ବଦଳିଥିଲା । ପରେ ଖବର ଆସିଲା ନବ ଦାସଙ୍କ ଗାଡ଼ି ଉପରକୁ ୫ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା । ଏବେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଆସିଛି ସାମ୍ନାକୁ । ତାହା ହେଉଛି ଗୁଳିମାଡ଼ ଦିନ ନବ ଦାସ ଯେଉଁ ସାର୍ଟ ପିନ୍ଧିଥିଲେ ସେଇ ସାର୍ଟକୁ ପୋଡ଼ା ଯାଇଛି । ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟ ମଧ୍ଯ ବଦଳି ଯାଇଛି ରିପୋର୍ଟରେ । ଅର୍ଥାତ୍ ସନ୍ଦେହ ମଜଭୂତ ଯେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ମୁଖିଆ ଘଟଣାକୁ ଦିଗ ବଦଳାଇବାର ଚେଷ୍ଟା କରିଥିଲେ । ଏବେ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ତଲବ କରିବା ଆହୁରି ବଡ଼ ସନ୍ଦେହ ସୃଷ୍ଟି କରିଛି ।

ନବ ଦାସ ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି ଜୋର ଧରିଛି । ଝିଅ ଦୀପାଳି ମଧ୍ୟ ଏଥିପାଇଁ ଆବେଦନ କରିବେ ବୋଲି କହି ସାରିଛନ୍ତି । ଏବେ ଦେଖିବାର ଅଛି ସିବିଆଇ ତତ୍କାଳୀନ କ୍ରାଇମ୍ ବ୍ରାଞ୍ଚ ମୁଖିଆ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ନା ନାହିଁ ?

Leave a Reply

Your email address will not be published. Required fields are marked *