ଏସ୍‌ଆଇ ପରୀକ୍ଷା ସ୍କାମର ମୁଖ୍ୟ ଦଲାଲ ହେଉଛନ୍ତି ଶଙ୍କର ପୃଷ୍ଟି । ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରିପାରି ନାହିଁ । ତାଙ୍କୁ ନେଇ ଭାଜପା-ବିଜଦ ମଧ୍ୟରେ କଳି ଆରମ୍ଭ ହୋଇଥିବାବେଳେ ଏବେ ସେ ଭାଜପାରେ ବୋଲି କୁହାଯାଉଛି । ନିର୍ବାଚନ ପୂର୍ବରୁ ସେ ଭାଜପାରେ ସାମିଲ ହୋଇଥିଲାବେଳେ ତାଙ୍କୁ ଦଳରେ ମିଶାଇଲା କିଏ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ କୌଣସି ନେତାଙ୍କୁ ଦଳରେ ସାମିଲ କରିବା ପୂର୍ବରୁ ତାଙ୍କର ବ୍ୟାକ୍‌ଗ୍ରାଉଣ୍ଡ ଚେକ୍ କରାଯାଏ । ଶଙ୍କରଙ୍କ ବ୍ୟାକଗ୍ରାଉଣ୍ଡ ସମ୍ପୂର୍ଣ୍ଣ ଅପରାଧପ୍ରବଣ । ଏକ ହତ୍ୟା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ବୋଲି ଥାନାରେ ଦର୍ଶାଯାଇଥିଲାବେଳେ ପୁଲିସ କିନ୍ତୁ ଗିରଫ କରିନଥିଲା । କାରଣ ଥିଲା ସେ ସେତେବେଳେ ବିଜଦର ଜଣେ ସକ୍ରିୟ କର୍ମୀ ତଥା ତୃତୀୟ ମହଲାର କୁଆଡେ ବିଶ୍ବସ୍ତ ଥିଲେ ।

ଶଙ୍କର ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ବ୍ରାହ୍ମଣତାଇ ପଞ୍ଚାୟତର ବାସିନ୍ଦା । ବିଜୁ ଜନତା ଦଳ ସରକାର ସମୟରେ ସେ ଆଗ ଧାଡିର କର୍ମୀ ଥିଲେ, ବରିଷ୍ଠ ନେତାଙ୍କ ଘନିଷ୍ଠ ମଧ୍ଯ ଥିଲେ । ହିଞ୍ଜିଳିରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ଡାହାଣହାତ ଭାବେ ମଧ୍ୟ ପରିଚିତ ଥିଲେ । ପୂର୍ବରୁ ଅନେକ ନିଯୁକ୍ତି ଦୁର୍ନୀତିରେ ସେ ସାମିଲ ଥିବାର ଅଭିଯୋଗ ରହିଛି ।

ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ୨୦୧୭ରେ ହୋଇଥିବା ହତ୍ୟା ଘଟଣାରେ ଥିଲେ ମୁଖ୍ୟ ଅଭିଯୁକ୍ତ । ଅପରାଧିକ ପନ୍ଥା ଜାରି ରଖିଥିଲାବେଳେ ନିର୍ବାଚନ ପୂର୍ବରୁ ସେ ଡେଇଁଥିଲେ ଭାଜପାକୁ । ଭାଜପାର କିଛି ବରିଷ୍ଠ ନେତାଙ୍କ ସହ ତାଙ୍କର ଫଟୋ ମଧ୍ୟ ଭାଇରାଲ ହେଉଛି । ଏବେ ଭାଜପା ସରକାରରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ମାଫିଆ ଓ ଦଲାଲ ବିଜଦ ଛାଡ଼ି ଡେଉଁଛନ୍ତି ପଦ୍ମ ପୋଖରୀକୁ । ତେବେ ଦଲାଲ ଶଙ୍କରଙ୍କୁ କେଉଁ ନେତା ଭାଜପାରେ ସାମିଲ କରାଇଥିଲେ ? ଏବେ ଏଇ ପରୀକ୍ଷା ଦୁର୍ନୀତିରେ ଶଙ୍କର ମୁଖ୍ୟ ଅଭିଯୁକ୍ତ ଥିଲାବେଳେ ଧରାପଡିଲେ ଅନେକ ନେତାଙ୍କ ମୁଖା ଖୋଲିପାରେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *