ଲଙ୍କାରେ ସୁବର୍ଣ୍ଣପୁରୀ ଥିଲା । ନବୀନ ବାବୁଙ୍କ ଯୁଗରେ ଓଡ଼ିଶା ସୁବର୍ଣ୍ଣପୁରୀ ହେଇଯାଇଥିଲା। ତାଙ୍କ ଘର ବା ନିବାସଟି ଥିଲା ସୁବର୍ଣପୁରୀ । ମା’ଲକ୍ଷ୍ମୀ ପୁରା ଦୟା କରିଥିଲେ । କିନ୍ତୁ ହନୁମାନ ମା’ ସୀତାଙ୍କୁ ଖୋଜିବାକୁ ଯାଇ କ’ଣ ମନ କଲେ କେଜାଣି ସୁବର୍ଣ୍ଣପୁରୀରେ ନିଆଁ ଲଗେଇ ଦେଲେ । ଠିକ ସେମିତି ନବୀନ ବାବୁଙ୍କ ସୁବର୍ଣ୍ଣପୁରରେ କିଏ ନିଆଁ ଲଗାଇଲା ତା’ଉପରେ ବଡ଼ ଶୋଧ ହବା ଦରକାର। କେହିକେହି କହନ୍ତି ମୋଦୀ ହନୁମାନ ରୂପରେ ଆସି ଏମନ୍ତ କଲେ । କେହିକେହି କହନ୍ତି ଯେ, ସବୁ ଖେଳ କେହି ଜଣେ ବିଭୀଷଣର।

ରାବଣଙ୍କର ଗର୍ବ ଅହଂକାର ଯୋଗୁ ଲଙ୍କାପୁରୀ ଛାରଖାର ହେଲା । ନବୀନଙ୍କ ଲଙ୍କାପୁର କାହା ଗର୍ବ ଓ ଅହଂକାର ଯୋଗୁ ଏମିତି ଦୁର୍ଦ୍ଦଶା ଭୋଗିଲା, ସେକଥା ଆମେ କଦାପି କହିବୁ ନାହିଁ । ପଦ୍ମ ଦଳର କଉଁ ରାମଚନ୍ଦ୍ର ସହ ଶଙ୍ଖ ଦଳର କଉଁ ବିଭୀଷଣ ଗୁପ୍ତ ବୁଝାମଣା କଲା ସେ କଥା ଆମେ କାହିଁକି କହିବୁ ? କିନ୍ତୁ ସତ କଥାଟି ହେଲା ଜିତିବା ବାଳି କେମିତି ହାରିହୁଏ ଆମକୁ ପ୍ରମାଣ କରି ଦେଖେଇ ଦେଲେ ନବୀନ ବାବୁ । ତାଙ୍କ ପାଦଧୂଳି ନବାକୁ ଆମ ଭଳି ନିନ୍ଦୁକମାନଙ୍କର ଭାରି ଇଚ୍ଛା।

ଲଙ୍କାପୁରର ଚର୍ଚ୍ଚିତ ଚରିତ୍ରମାନେ ଥିଲେ ରାବଣ, ବିଭୀଷଣ, କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ଓ ସୁର୍ପଣଖା । ନବୀନ ବାବୁଙ୍କ ସୁବର୍ଷ ପୁରରେ ଏମିତି ଚରିତ୍ରମାନେ କିଏ ଆପଣ ମାନେ ସମସ୍ତେ ଖୋଳନ୍ତୁ ଓ ଆମକୁ ବଢାନ୍ତୁ । ରାମାୟଣର ବିଭୀଷଣ ଏକ ଭଲ ଚରିତ୍ର। ବଡ଼ ଭାଇଠୁ ନାତ ଖାଇନଥିଲେ ସେ ରାମଚନ୍ଦ୍ରଙ୍କ ପାଖକୁ ଯାଇଥାନ୍ତେ କିଆଁ ? ଯିବାରୁ କିନ୍ତୁ ରାବଣ ନିଧନ ପରେ ଲଙ୍କା ସାମ୍ରାଜ୍ୟ ମିଳି ଗଲା । ନବୀନଙ୍କ ଦଳରେ ଏମିତି କିଏ ସେହି ବିଭୀଷଣ ଯିଏ କି ରାଜଭୋଗ କରିବାକୁ ପଦ୍ମଦଳର ରାମଚନ୍ଦ୍ରଙ୍କ ସହ ହାତ ମିଳାଇଲା ? କିନ୍ତୁ ମୋତେ ଯେତେଦୂର ଲାଗୁଚି ନବୀନ ବାବୁ ଜଣେ ଆଧୁନିକ କୁମ୍ଭକର୍ଣ୍ଣ । ଲଙ୍କାପୁରର କୁମ୍ଭକର୍ଣ୍ଣ ଖାଉଥିଲା ଶୋଉଥିଲା । କିନ୍ତୁ ନବୀନ ବାବୁ ଶୋଉନଥିଲେ । ଅୟସ କରୁଥିଲେ । କିନ୍ତୁ ନିଦ ଗଲା ଭଳି ନାଟକ କରୁଥିଲେ । ଯାହା ହବାର କଥା ତାହା ହେଲା ।

ଶଙ୍ଖ ଦଳର ଅବସ୍ଥା ଏବେ ଯାହା ସେଥିରୁ ଅନୁମାନ କରି ହଉଚି ଯେ, ଯଉଁମାନେ ରାମାୟଣ ଚରିତ୍ରରେ ଏବେ ଅଭିନୟ କହୁଛନ୍ତି ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ପୁରା ଦଳଟା ଯାଉ ଭାଡମେଁ । ହାରିଯିବା ପରେ ବି କେହି କିଛି ଶିଖିବା ଅବସ୍ଥାରେ ନାହାଁନ୍ତି । ଯିଏ ଯାହା ମତେ ଅନ୍ୟର ଗୋଛି କାଟିବାକୁ ଲାଗିପଡିଚନ୍ତି । କୁମ୍ଭୀର ନେଇ ମଝି ନଈ କଲାଣି। କିନ୍ତୁ କାହାର ଚିନ୍ତା କି ଦକ ନାହିଁ।

Leave a Reply

Your email address will not be published. Required fields are marked *