ଯଦି ମୋହନ ବାବୁଙ୍କ ପାଖରେ ତଥ୍ୟ ନାହିଁ, ତେବେ ଅଛି କାହା ପାଖରେ ? ଏତିକି ଜାଣିବା ପାଇଁ ଲାଗୁଚି ଆମ ସମସ୍ତଙ୍କୁ ତପସ୍ୟା କରିବାକୁ ପଡିବ । ତପସ୍ୟାରେ ବ୍ରହ୍ମା, ବିଷ୍ଣୁ କିମ୍ବା ମହେଶ୍ବର ଯଦି ସନ୍ତୁଷ୍ଟ ହୁଅନ୍ତି ତେବେ ଆମକୁ ସେ ହିଁ ତଥ୍ୟ ବିଷୟରେ କିଛି କହିପାରିବେ । ନବ ଦାସ କେମିତି ମଲେ ? ଷଡଯନ୍ତ୍ର କିଏ କରିଥିଲା ? ଶବକୁ ଆପୋଲୋ ହସ୍ପିଟାଲ କାହିଁକି ଅଣାଯାଇଥିଲା ? ଏସବୁ ତଥ୍ୟ ଯଦି ସରକାର ବାହାଦୂର ଦେଇପାରୁନାହାଁନ୍ତି, ତେବେ ଆମକୁ ଶ୍ରୀଜଗନ୍ନାଥ ଭରସା। ୨୦୨୩ ଆରମ୍ଭ ହଉଁହଉଁ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ସମସ୍ତଙ୍କ ଆଗରେ ହତ୍ୟା କରାଗଲା। କୁହାଗଲା ହତ୍ୟାକାରୀ ଫାଣ୍ଡି ଅଧିକାରୀ ଗୋପାଳ ଦାସ। କିନ୍ତୁ ଯେମିତି ଆରମ୍ଭରୁ ନବୀନ ସରକାର ଆଚରଣ କଲେ ଜଣାପଡିଗଲା ଯେ, ବିରାଟ ରାଜନୈତିକ ଚକ୍ରାନ୍ତର ଶିକାର ହେଇଗଲେ ନବ ବାବୁ । ନବ ବାବୁ କୁଆଡେ ନବୀନ ବାବୁଙ୍କ ଗାଦି ଛଡେଇ ନିବାକୁ ଚକ୍ରାନ୍ତ କରୁଥିଲେ। ଯଉଁ ଗୁଳିରେ ପ୍ରାଣ ଗଲା ନବଙ୍କର, ମିଳିଲାନି । ଗୋପାଳଙ୍କୁ ପାଗଳ ସଜାଇବା ପାଇଁ ହଠାତ ଆରମ୍ଭ ହେଇଗଲା ପ୍ରଚାର । ତାଙ୍କ ସ୍ତ୍ରୀଙ୍କ ଆଚରଣ ବି ବଢାଇଲା ସନ୍ଦେହ । ଗୋପାଳର ଫୋନ ରେକର୍ଡ ଯାଞ୍ଚ ହେଲାନି । ଜାମୁକୋଳି ବୋଥ୍ରୋ ପାଇଖାନା ଟାଙ୍କିରୁ କାଗଜ ଟୁକୁରା ବାହାର କଲେ । ଆହୁରି ଏମିତି ଅନେକ ଅଡ଼ୁଆ ସୁତା । ଶେଷରେ ନବୀନ ବାବୁ ବି ଗୃହରେ କହିଲେ ଯେ, ଏଫବିଆଇର ସହାୟତା ଲୋଡା ଯାଇଚି। ନିରୁତା ମିଛ କଥା। ଏବେ ତ ତାଙ୍କ ସରକାର ନାହିଁ । ରାଜ୍ୟରେ ମୋହନ ସରକାର। ନବ ହତ୍ୟାକାଣ୍ଡ ପରେ ପଦ୍ମ ନେତାମାନେ ଗଳା ଫଟେଇ ଚକ୍ରାନ୍ତ କଥା ଉଠାଇଥିଲେ । ଏମିତି କି ଜୟନାରାୟଣ ବାବୁ ତିନିଜଣ ଚକ୍ରାନ୍ତକାରୀଙ୍କ ନାଁ ନେଇଥିଲେ । ହେଲେ ମୋହନ ବାବୁ ଯାହା କହିଚନ୍ତି ଆମ ଅକଲ ଗୁଡ଼ୁମ । ପ୍ରଶ୍ନ କରିଥିଲେ ତାଙ୍କରି ଦଳର ଟଙ୍କ । ଉତ୍ତରରେ ବାବୁ ମୋହନ କହିଲେ ଯେ, ସରକାରଙ୍କ ପାଖରେ ତଥ୍ୟ ନାହିଁ । ତଦନ୍ତ କଉଁଟି ଅଛି ତାହା ବି ଜଣାନାହିଁ । ଏଫବିଆଇକୁ ଅନୁରୋଧ କରାଯାଇଥିଲା କି ନାହିଁ ସେକଥା ବି କହିଲେ ନାହିଁ । ଏତେବଡ ଘଟଣା, ପ୍ରଶ୍ନ ଆସିବା ପରେ ଉତ୍ତର ଏତେ ସନ୍ଦେହ ସୃଷ୍ଟି କରିବ କାହିଁକି ? ପିଏମ ମୋଦୀ ପଦ୍ମ କାର୍ଯ୍ୟାଳୟରେ କହିଥିଲେ ଯେ, ସରକାରଙ୍କୁ ବାହାରେ ବଦନାମ କରନାହିଁ । କିନ୍ତୁ ଅଫିସରମାନେ ଯେ ମୁଖ୍ୟଙ୍କୁ ଲୋକହସା କରାଉଚନ୍ତି ସେ ତଥ୍ୟ ତାଙ୍କ ପାଖରେ ଅଛି ନା ନାହିଁ ? ଆଗରୁ ଥରେ ହାଇକୋର୍ଟ ବେଞ୍ଚ କଥାକୁ ନେଇ ମୋହନଙ୍କୁ ଅଫିସରମାନେ ଅପଦସ୍ତ କରାଇଥିଲେ । ଲାଗୁଚି ପଦ୍ମ ନେତାଙ୍କ ଅପେକ୍ଷା ମୋହନଙ୍କୁ ବଦନାମ କରିବାକୁ ବେଶି ଲାଗି ପଡିଚନ୍ତି ତାଙ୍କରି ଅଫିସରମାନେ । Post navigation ନୌସେନା ଦିବସରେ ରାଷ୍ଟ୍ରପତିଙ୍କ ସମ୍ବୋଧନ : ୨୦୪୭ ସୁଦ୍ଧା ଭାରତ ହେବ ଆତ୍ମନିର୍ଭର