ଶଙ୍ଖ ଦଳର ଅଘୋଷିତ ଚିଫ୍ ପିଆରଓ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ନବୀନ ବାବୁ କୁଆଡେ ସୁଯୋଗ ଅପେକ୍ଷାରେ ଅଛନ୍ତି । ସୁଯୋଗ ପାଇଲେ ବୋଧେ ଖେଳ କରିବେ । କିନ୍ତୁ ସୁଯୋଗଟା କ’ଣ ? ସୁଯୋଗ କଥା କିନ୍ତୁ ସେହି ବଡ଼ ବାବୁ କହି ନାହାଁନ୍ତି । ଆକାଶରୁ କଇଁଆ ଖସି ଖସିବ, ନବୀନ ବାବୁ ଚିଲିକା ମାଛରେ ଆକାଶ କଇଁଆ ପକେଇ ଝୋଳ କରିବେ !

ଭୋଟର ଅନିୟମିତାତକୁ ନେଇ ଇଣ୍ଡି ମେଣ୍ଟବାଲା ବଡ଼ ବୋବାଲ କରୁଚନ୍ତି । ଦିଲ୍ଲୀରେ ସୋମ‌ବାର ଦିନ ରାଜପଥରେ ଇଣ୍ଡି ନେତାମାନଙ୍କୁ ଦେଖିବାକୁ ମିଳିଲା । ସେଠି ଶଙ୍ଖ ନେତାମାନେ ନଥିଲେ । କିନ୍ତୁ ତାଓ୍ବା ଗରମ ଅଛି ଦେଖି ରୋଟି ସେକିବାକୁ ଶଙ୍ଖ ଦଳ ବାହାରିଚି। ଏହା ତ ଧର୍ମକୁ ଆଖିଠାର । ବର୍ଷେ ପରେ ଶଙ୍ଖ ଦଳ ହାଇକୋର୍ଟକୁ ଯିବ ବୋଲି ଘୋଷଣ କରିଚି । ବୋଧହୁଏ ଏଇଟା ସୁଯୋଗ। କିନ୍ତୁ ନିର୍ବାଚନ କମିଶନ ହଲପନାମା ଜାରି ପାଇଁ ଶଙ୍ଖ ଦଳକୁ କହିସାରିଚି । ଦେଖାଯାଉ ଶଙ୍ଖ ଦଳ ଆଗେଦଳ ଆଗେ ଇସି ନା ଆଗେ ଅଦାଲତକୁ ଯାଉଚି ।

ଯେତେବେଳେ ନବୀନ ବା ବାବୁ ସିଏମ ଥିଲେ ସେତେବେଳେ ଗୋଡାଣିଆ ସାମ୍ବାଦିକମାନେ କହୁଥିଲେ ଯେ, ମାଷ୍ଟରଷ୍ଟ୍ରୋକ ଦେବାରେ ନବୀନଙ୍କର ତୁଳନା ନାହିଁ । ସମସ୍ତେ ସେଥ‌ିପାଇଁ ତାଙ୍କୁ ଭାରି ଖାତିର କରନ୍ତି। ସେ କୁଆଡେ ଠିକଣା ସମୟରେ ଏମିତି ଠିକଣା ନିଷ୍ପତି ନିଅନ୍ତି ଯେ, ବିରୋଧୀବାଲାଙ୍କ ଆଖି ଟେରା ହେଇଯାଏ। ମୁଣ୍ଡ ଘୂରେଇ ଦିଏ । ଏଥିପାଇଁ ସବୁବେଳେ ବାଜିମାତ୍ କରନ୍ତି ନବୀନ ବାବୁ ।

କିନ୍ତୁ ୨୦୨୦ ପରେ ଏମିତି କି ଠିକଣା ନିଷ୍ପତ୍ତି ନେଲେ ଯେ, ନିଜେ ଚିତ୍‌ପଟାଙ୍ଗ। ଦଳ ଚିତ୍‌ପଟାଙ୍ଗ । ସରକାର ବି କାମୁଡିଲା ମାଟି। ବେଳ ପଡ଼ିଥିଲେ ସମସ୍ତେ ଠିକଣା ନିଷ୍ପତ୍ତି ନେଇପାରନ୍ତି । ଥରେ ଭାଗ୍ୟ ବାମ ହେଲେ ସବୁ ନିଷ୍ପତ୍ତି ଓଲଟା ପଢି ଯାଏ । ଯେତେବେଳେ ଅହଂକାରମିଶା ଆତ୍ମବିଶ୍ବାସରେ ଲୋକେ ପଡନ୍ତି, ବୁଦ୍ଧି ଭ୍ରଷ୍ଟ ହୁଏ । ନବୀନ ବାବୁଙ୍କର ସେଇଆ ହେଇଥିଲା। ନହେଲେ ସେ କେବେ ପାଣ୍ଡିଆନଙ୍କୁ ଏକାକୀ ମାର୍କେଟକୁ ଛାଡିଥାନ୍ତେ ଦଳର ମଙ୍ଗ ଧରିବା ପାଇଁ ?

ଦେଖାଯାଇ କଇଁ ସୁଯୋଗକୁ ଅପେକ୍ଷା କରିଚନ୍ତି ନବୀନ ବାବୁ ? ଉପ-ରାଷ୍ଟ୍ରପତି ନିର୍ବାଚନରେ କିଛି ବଡ଼ ନିଷ୍ପତ୍ତି ନେବେ କି ? ଅଳ୍ପଦିନ ଦିନ ଭିତରେ ଜଣାପଡିଯିବ।

Leave a Reply

Your email address will not be published. Required fields are marked *