କେରଳର ୱାଏନାଡ଼ରେ ପ୍ରକୃତି ରଚିଛି ତାଣ୍ଡବ ଲୀଳା। ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମାଳ ମାଳ ମୃତଦେହ ମିଳୁଛି । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି କେଉଁଠି ନିଜ ଜୀବନକୁ ବାଜି ଲଗାଇ ଏମିତି ବଢିଲା ନଈ ଆରପଟୁ ଜୀବନ ବଞ୍ଚାଇବାରେ ଲାଗିଛନ୍ତି ରେସ୍କ୍ୟୁ ଅପରେସନରେ ସାମିଲ ତିନି ସେନାର ଯବାନ। ଏସବୁ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨ ଶହ ଛୁଇଁଥିବା ଅନୁମାନ କରାଯାଉଛି। ୬୮ ଜଣିଆ ଡିଜାଷ୍ଟର ରିଲିଫ୍ ଟିମ୍ ଘଟଣାସ୍ଥଳକୁ ଯାଇଛି। ହେଲେ ଆଜି ସକାଳୁ ଚାଲିଥିବା ତୁହାକୁ ତୁହା ବର୍ଷା ଉଦ୍ଧାର କାର୍ଯ୍ୟରେ ସାଜିଛି ବଡ଼ ବାଧକ। ପ୍ରତିକୂଳ ପାଗକୁ ଖାତିର ନକରି NDRF ଟିମ୍, ସ୍ଥାନୀୟ ପୋଲିସ, ବନ ବିଭାଗ ଓ ସ୍ବେଚ୍ଛାସେବୀ ସମସ୍ତେ ନିଖୋଜଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି। ଏବେ ୩୯ଟି ରିଲିଫ୍ କେନ୍ଦ୍ରରେ ୩ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ମୃତକଙ୍କ ସ୍ମୃତିରେ ଆଜିଠୁ କେରଳରେ ଦୁଇ ଦିନିଆ ଶୋକ ପାଳନ କରାଯାଉଥିବାବେଳେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି । ସେପଟେ ସଂସଦରେ ବି ଉଠିଛି ୱାଏନାଡ ବ୍ୟଥା। ରାଜ୍ୟସଭାରେ ଏହାକୁ ନେଇ ଜୋରଦାର ବିତର୍କ ହୋଇଛି। କାହିଁକି ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦିଆଯାଇନଥିଲା ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ। ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ-ଗତ ୨୩ ଓ ୨୪ ତାରିଖରେ ଭୂସ୍ଖଳନ ହେବା ଆଶଙ୍କା ଥିବା ନେଇ କେନ୍ଦ୍ର ଆଗୁଆ କେରଳ ସରକାରଙ୍କୁ ଆଲର୍ଟ କରିଥିଲା। ଏମିତିକି ୯ଟି ଏନଡିଆରଏଫ୍ ଟିମ୍ ବି ପଠାଯାଇଥିଲା। Post navigation ସାଂଘାତିକ ଅଭିଯୋଗ: ନିବେଦିତା ମାଡାମଙ୍କ ବିନା ଅନୁମତିରେ କିଛି କାମ ହୁଏନି ୨୦ରୁ ଅଧିକ ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ