ୱାକଫ୍ ବିଲ୍ ରାଜ୍ୟସଭାରେ ଆଗତ ହେବା ସମୟରେ ବିଜୁ ଜନତା ଦଳର ବିଭାଜିତ ଚେହେରା ସାମ୍ନାକୁ ଆସିଥିଲା। ବିଲ୍ ଉପରେ ଭୋଟିଂ ବେଳେ ବିଜଦର ଆଭିମୁଖ୍ୟକୁ ନେଇ ଏଭଳି ପ୍ରତିକ୍ରିୟା ସୃଷ୍ଟି ହେଲା ଯେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲ ଟାର୍ଗେଟ୍ କରିବା ଆରମ୍ଭ କରିଦେଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ବିଜଦ ସଭାପତି ନବୀନ ପଟ୍ଟନାୟକଙ୍କୁ କହିବାକୁ ପଡ଼ିଲା ଯେ ପାଣ୍ଡିଆନ ଦଳ ଛାଡ଼ି ଦେଇସାରିଛନ୍ତି । କିନ୍ତୁ କେତେଜଣ ବିଲ୍ ସପକ୍ଷରେ ବା ବିପକ୍ଷରେ ଭୋଟ ଦେଇଥିଲେ ?

ଏପର୍ଯ୍ୟନ୍ତ ଏକ ଆଲୋଚନା ହେଉଥିଲା ଯେ ୩ ଜଣ ବିଲ୍ ସପକ୍ଷରେ ଓ ୩ ଜଣ ବିଲ୍ ବିପକ୍ଷରେ ଏବଂ ଜଣେ ଭୋଟ୍‌ରେ ଭାଗ ନେଇ ନଥିଲେ । କିନ୍ତୁ ପ୍ରକୃତ ତଥ୍ୟ ବେଶ୍ ରୋଚକ। ରାଜ୍ୟସଭାରେ ବିଲ୍ ସପକ୍ଷରେ ୧୨୭ଟି ଭୋଟ ପଡ଼ିଥିଲା। ଏହାର ବିରୋଧରେ ୯୫ ଜଣ ଭୋଟ ଦେଇଥିଲେ। କେହି ଭୋଟ ଦାନରୁ ବିରତ ରହି ନଥିଲେ ।

ରାଜ୍ୟସଭାରେ ବିଜଦର ସଦସ୍ୟ ସଂଖ୍ୟା ୭। ଓ୍ବାକଫ୍ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ ୫ ଜଣ । ସେମାନେ ହେଲେ ଡ. ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି। କେବଳ ଜଣେ ସଦସ୍ୟ ମୁନ୍ନା ଖାଁ ବିଲ୍ ବିରୋଧରେ ଭୋଟ ଦେଇଥିଲେ । ପୂର୍ବରୁ କୁହାଯାଉଥିଲା ଯେ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ବିରତ ରହିଥିଲେ । କିନ୍ତୁ ତାହା ବି ଠିକ୍ ନୁହେଁ । ଭୋଟିଂ ବେଳେ ସେ ଗୃହରେ ଉପସ୍ଥିତ ବି ନଥିଲେ। ତେଣୁ ବିରତ ରହିବାର ପ୍ରଶ୍ନ ହିଁ ଉଠୁନାହିଁ।

ବିବାଦର ଝଡ଼ ସୃଷ୍ଟି କରିଥିଲା ବିବେକ ଅନୁମୋଦିତ ଭୋଟ। ପ୍ରଥମେ ଓ୍ବାକଫ୍ ବିଲ୍‌କୁ ବିଜଦ ବିରୋଧ କରିବ ବୋଲି ଗୃହରେ ଦଳପତି ସସ୍ମିତ ପାତ୍ର ସାମାଜିକ ଗଣମାଧ୍ଯମ ଜରିଆରେ ଏବଂ ପ୍ରକାଶ୍ୟରେ ସୂଚନା ଦେଇଥିଲେ। ଏହି ଅନୁସାରେ ବିତର୍କରେ ଭାଗ ନେଇଥିଲେ ମୁନ୍ନା ଖାଁ। ସେ ମଧ୍ୟ ବିତର୍କ ଆରମ୍ଭରେ କହିଥିଲେ ଯେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜଦ ଏହି ବିଲ୍‌କୁ ବିରୋଧ କରୁଛି।

ପରବର୍ତ୍ତୀ ସମୟରେ ସସ୍ମିତ ସୂଚନା ଦେଇଥିଲେ ଯେ ବିବେକ ଅନୁସାରେ ଭୋଟ ଦେବାକୁ କହିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଭୋଟିଂ ପରେ ସୋସିଆଲ ମିଡିଆରେ ସସ୍ମିତ ବିଲ୍ ସପକ୍ଷରେ ନିଜେ ଭୋଟ ଦେଇଥିବା ଜଣାଇଦେଲେ । ଏହାପରେ ପ୍ରବଳ ଝଡ଼ର ସାମ୍ନା କରିଥୁଲା ବିଜୁ ଜନତା ଦଳ । ଅନେକ ବରିଷ୍ଠ ନେତା ଏଭଳି ମତ ପରିବର୍ତ୍ତନକୁ ନାପସନ୍ଦ କରିଥିଲେ । ସବୁ କ୍ରୋଧ ପାଣ୍ଡିଆନଙ୍କ ଉପରେ ଝଡ଼ିଥିଲା। ଏବେ ଜଣାପଡ଼ିଗଲା ଯେ ଏହା ବିବେକ ଅନୁମୋଦିତ ଭୋଟିଂ ନଥିଲା । ବିଲ୍ ସପକ୍ଷରେ ଭୋଟ ଦେବାପାଇଁ ସଭାପତି ନିଜ ସଦସ୍ୟମାନଙ୍କୁ କହିଥିଲେ । କିନ୍ତୁ ବିଭ୍ରାନ୍ତି ସୃଷ୍ଟି କରିବା ନିମନ୍ତେ ବିବେକ ଅନୁମୋଦିତ ଭୋଟର କଥା ଉଠାଯାଇଥିଲା । ଏହାଦ୍ୱାରା ମୁନ୍ନା ଖାଁଙ୍କୁ ସମ୍ପୂର୍ଣ୍ଣ ଏକଘରକିଆ କରିଦେଇଥିଲେ ସଭାପତି। ଏଥିରେ କୌଣସି ମତେ ସସ୍ମିତ୍‌ଙ୍କର ଭୂମିକା ହିଁ ନଥିଲା। ନବୀନ କାହା ପ୍ରରୋଚନାରେ ଏଭଳି ନିଷ୍ପତ୍ତି ନେଇ ଦଳକୁ ଓ୍ବାକଫ୍ ବିଲ୍ ସପକ୍ଷରେ ନେଇଗଲେ ତାହାହିଁ ବଡ଼ ପ୍ରଶ୍ନ । ଏଠାରୁ ହିଁ ସନ୍ଦେହ ଘେରକୁ ଆସୁଛନ୍ତି ପାଣ୍ଡିଆନ।

Leave a Reply

Your email address will not be published. Required fields are marked *