ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷଣା ପରେ ମୁଣ୍ଡ ବୁଲାଇ ଚେତାଶୂନ୍ୟ ହୋଇପଡ଼ିବାରୁ ବିନେଶ ଫୋଗଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଡିହାଇଡ୍ରେସନ୍ କାରଣରୁ ଅଲିମ୍ପିଆନ୍ ବିନେଶ ହତାଶ ହୋଇପଡିଥିବା କହାଯାଉଛି। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଓଜନ ହ୍ରାସ ପାଇଁ ରାତିସାରା ବ୍ୟାୟାମ କରିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିବା ଜଣାଯାଇଛି। ଫଳରେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସମୟରେ ସମଗ୍ର ଦେଶ ବିନେଶଙ୍କ ସହ ଅଛି। ଏଭଳି ସ୍ଥିତିରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସଭାପତି ପି.ଟି ଉଷା ମଧ୍ୟ ହସ୍ପିଟାଲରେ ବିନେଶଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ସେ ଜେମ୍ସ ଗାଁର ପଲି କ୍ଲିନିକରୁ ଡିସ୍ଚାର୍ଜ ହୋଇ ଅଲିମ୍ପିକ ଗ୍ରାମ ରୁମ୍ କୁ ଫେରିଛନ୍ତି।

ଏଥିସହ ପି.ଟି ଉଷା ମହିଳା ରେସଲର ବିନେଶ ଫୋଗଟଙ୍କ ଅଯୋଗ୍ୟତା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ଭାରତ ରେସଲିଂ ଫେଡେରେସନ୍ (ଆଇଡବ୍ଲ୍ୟୁଏଫ୍) ଅଧିକ ଓଜନ ହେତୁ ଅଯୋଗ୍ୟତା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ରେ ଆବେଦନ କରିଛି।

ଉଷା ଏକ ବିବୃତ୍ତିରେ କହିଛନ୍ତି, ‘ମୁଁ କିଛି ସମୟ ପୂର୍ବରୁ ଅଲିମ୍ପିକ୍ ଜେମ୍ସ ଗ୍ରାମର ପଲି କ୍ଲିନିକରେ ବିନେଶଙ୍କୁ ଭେଟିଥିଲି ଏବଂ ତାଙ୍କୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍, ଭାରତ ସରକାର ଏବଂ ସମଗ୍ର ଦେଶର ସମର୍ଥନ ବିଷୟରେ ନିଶ୍ଚିତ କରିଥିଲି। ଆମେ ବିନେଶଙ୍କୁ ଚିକିତ୍ସା ସହ ସହାନୁଭୂତି ପ୍ରଦାନ କରୁଛୁ।

ସୂଚନାଯୋଗ୍ୟ, ପଦକ ଲକ୍ଷ୍ୟରେ ଥିଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ଗତକାଲି ସେମି ଫାଇନାଲରେ ସେ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏ ଅଲିମ୍ପିକ୍ ଫାଇନାଲ ଖେଳିଥାନ୍ତେ। ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ଗୋଲରେ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ବିନେଶ ୧-୦ରେ ଆଗୁଆ ରହିଥିଲେ। ତା’ପରେ ତିନି ମିନିଟରେ ସେ କ୍ୟୁବା ରେସଲରଙ୍କ ଉପରେ ଦୁଇଥର ଆକ୍ରମଣ କରି ଚାରି ପଏଣ୍ଟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *