ଦିନକୁ ଦିନ ଠକେଇ ଏବଂ ଜାଲିଆତି ଘଟଣାରେ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କ ଉପରେ କେନ୍ଦ୍ର ଲୋକସେବା ଆୟୋଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପିଏସସି ତରଫରୁ ତାଙ୍କର ପ୍ରୋବେସନରେ ପ୍ରାର୍ଥିତ୍ୱକୁ ବାତିଲ କରାଯାଇଛି । ବର୍ତ୍ତମାନ ଯାଏଁ ସେ ପ୍ରୋବେସନରେ ଥିଲେ, କିନ୍ତୁ ସ୍ଥାୟୀ ନିଯୁକ୍ତି ପୂର୍ବରୁ ତାଙ୍କୁ ବରଖାସ୍ତ କରାଯାଇଛି। ବର୍ତ୍ତମାନ ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି।

ସୂଚନା ମୁତାବକ, ବିବାଦ ଘେରି ରହିଥିବା ପୂଜା ଖେଡକରଙ୍କୁ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଚାକିରି କରିଥିବା ଅଭିଯୋଗ ହୋଇଥିଲା। ପୂଜା ଖେଡକର ୨୦୨୨ ର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ବର୍ତ୍ତମାନ ମହାରାଷ୍ଟ୍ରରେ ଟ୍ରେନି ଆଇଏଏସ୍ ଭାବରେ ପୋଷ୍ଟ କରାଯାଇଥିଲା। ତାଙ୍କର ପ୍ରଥମ ପୋଷ୍ଟିଂରେ ସେ ଅଜବ ଦାବି କରିବା ଆରମ୍ଭ କରିଥିଲେ। ଯେତେବେଳେ ଏହାକୁ ନେଇ ବିବାଦ ଯାଇଥିଲା ପରେ ନିକଟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୟୁପିଏସ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୂଜା ଖେଡକର ତାଙ୍କ ନାମ, ପିତା ଏବଂ ମାତାଙ୍କ ନାମ,ଫଟୋଗ୍ରାଫ, ଇମେଲ ଏବଂ ଠିକଣା ଭଳି ଡକ୍ୟୁମେଣ୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। କ୍ରାଇମ ବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ପରେ ପୂଜା ଖେଡକର ଗିରଫଦାରୀକୁ ଏଡାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା ୨୦୨୨ ନିୟମକୁ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି। ତେଣୁ ଭବିଷ୍ୟତରେ ୟୁପିଏସସିର ସମସ୍ତ ପରୀକ୍ଷା ପାଇଁ ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *