ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଥିବା ହଷ୍ଟେଲ ଗୁଡିକରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସେମାନଙ୍କୁ ବିଭିନ୍ନ ଅବହେଳାର ଶିକାର ହେଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ନବରଙ୍ଗପୁର ଜିଲ୍ଲାରେ ଥିବା ହଷ୍ଟେଲ ଗୁଡିକରେ ଗତ ତିନି ମାସରେ ଛଅ ଜଣ ଛାତ୍ର ଛାତ୍ରୀ ଚିକିତ୍ସା ଅବହେଳାରେ ମୃତୁ୍ୟବରଣ କରିଛନ୍ତି ବୋଲି ବିଜେଡି ତଥ୍ୟ ରଖିବା ସହିତ ଏଥିପାଇଁ ବିଜେପି ସରକାରକୁ ଦାୟୀ କରିଛି ।

ବିଜେଡି କହିଛି ଗୋଟିଏ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲରେ ପ୍ରେସର କୁକର ଫାଟି ଗୁରୁତର ହୋଇଥିଲେ ସୁଦ୍ଧା ତାଙ୍କୁ ୯ ଦିନ ପର୍ଯ୍ୟନ୍ତ ଚିକିତ୍ସା ପ୍ରଦାନ କରା ଯାଇନଥିଲା । ପୂର୍ବତନ ସାଂସଦ କୌଣସି ସୂତ୍ରରୁ ଖବର ପାଇ, ସେ ପୀଡିତା ଛାତ୍ରକୁ ଉଦ୍ଧାର କରିବା ସହିତ, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ତାର ଚିକିତ୍ସା ବ୍ୟବସ୍ଥା କରାଇଥିଲେ ।

ପ୍ରିୟବ୍ରତ ମାଝୀ କହିଛନ୍ତି, ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଜେପି ସରକାରଙ୍କ ଅପାରଗତା ଯୋଗୁ ସମସ୍ତ କ୍ଷେତ୍ରରେ ବିଫଳତା ଜଳ ଜଳ ହୋଇ ଦିଶୁଛି, ଯାହାକୁ ରାଜ୍ୟବାସୀ ଅନୁଭବ କରି ସାରିଲେଣି । ରାଜ୍ୟରେ, ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ, ଆଦିବାସୀ ଓ ଦଳିତ ବର୍ଗର ଲୋକମାନେ ସର୍ବାଧିକ ଅବହେଳାର ଶିକାର ହେଉଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲରେ ପ୍ରେସର କୁକର ଫାଟି ଗୁରୁତର ହୋଇଥିଲେ ସୁଦ୍ଧା, କାଳେ ସରକାର ବଦନାମ ହୋଇଯିବେ ବୋଲି ପୀଡିତ ଛାତ୍ରକୁ ଦୀର୍ଘ ନଅ ଦିନ କାଳ ଚିକିତ୍ସା ପ୍ରଦାନ କରାନଯିବା ଏକ ସାଙ୍ଘାତିକ ଘଟଣା । ଏହି ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନେ ଗୁରୁତର ଅବହେଳାର ଶିକାର ହେଉଛନ୍ତି । ହଷ୍ଟେଲରେ ଥିବା ବେଳେ, ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହେଲେ, ସେମାନଙ୍କୁ ଚିକିତ୍ସା ପ୍ରଦାନରେ ଅବହେଳା କରାଯାଉଛି । ଅସୁସ୍ଥ ପିଲାମାନଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ୱୁଲାନ୍ସ ଯୋଗାଇ ଦିଆ ଯାଇପାରୁ ନାହିଁ । ଗତ ତିନି ମାସରେ, ହଷ୍ଟେଲରେ ଥିବା ସମୟରେ ଅସୁସ୍ଥ ହୋଇ ଛଅ ଜଣ ଛାତ୍ର ଛାତ୍ରୀ ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି । ଏମାନେ ଗୁରୁତର ହେବା ପରେ, ଅଧିକାରୀ ମାନେ ହସ୍ପିଟାଲକୁ ଅଟୋରେ ନେଉଛନ୍ତି । ମୃତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ, ପ୍ରାୟ ତିନି ଜଣ ଅଧା ରାସ୍ତାରେ ପ୍ରାଣ ହରାଇଛନ୍ତି ।

ପ୍ରିୟବ୍ରତ ମାଝୀ ଆଉ ମଧ୍ୟ କହିଛନ୍ତି, ଆଦିବାସୀ ଓ ଦଳିତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଏପରି ଅବହେଳାକୁ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ । ରାଜ୍ୟ ବିଜେପି ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ଯଦି ପରିସ୍ଥିତିରେ ତୁରନ୍ତ ସୁଧାର ନଆସେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

Leave a Reply

Your email address will not be published. Required fields are marked *