ବର୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରୁଥିବା ଦେଖ‌ିବାକୁ ମିଳୁଛି। ଖବର କାଗଜ ମାନଙ୍କରେ ଏହାକୁ ନେଇ ବଡ଼ ବଡ଼ ବିଜ୍ଞାପନ ଦିଆଯାଉଛି । ନିକଟରେ ମୁଖ୍ୟମନ୍ତ୍ରୀ ସେମି କଣ୍ଡକ୍ଟର ପ୍ରକଳ୍ପକୁ ଉଦଘାଟନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ନବୀନଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଯୋଗୁଁ ଓଡିଶା ଏକ ଆଇଟି ଛବ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଥିଲା । ଏହି କାରଣରୁ ବିଶ୍ବର ପ୍ରତିଷ୍ଠିତ ଆଇଟି କମ୍ପାନୀମାନେ ଯଥା ଡେଲଏଟ, ଆଇବିଏମ, କଗନିଜାଣ୍ଟ, କେପଯେମିନି ଇତ୍ୟାଦି ଓଡ଼ିଶାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିଲେ । ସେହିପରି, ସେମି କଣ୍ଡକ୍ଟର ଶିଳ୍ପକୁ ଓଡ଼ିଶାରେ ପ୍ରତିଷ୍ଠିତ କରିବା ପାଇଁ, ନବୀନ ସରକାର ସ୍ବତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା କରିଥିଲେ । ଏହାଛଡା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ, ଯାହାର ଫଳ ସ୍ୱରୂପ ଅନେକ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଥିଲା । ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା, ଯେଉଁ ଗୁଡିକୁ ଆଜି ରାଜ୍ୟ ବିଜେପି ସରକାର କେବଳ ରିବନ କାଟୁଛନ୍ତି ।

Leave a Reply

Your email address will not be published. Required fields are marked *