ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି । ଓଡିଆ ପରମ୍ପରା ଅନୁଯାୟୀ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଛି। ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ । ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି। ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ। ପଣା ସଂକ୍ରାନ୍ତି । ଓଡ଼ିଆ ଅସ୍ମିତା ଓ ପରମ୍ପରାର ମହାମିଳନ। ଓଡ଼ିଆ କ୍ୟାଲେଣ୍ଡର ବା ପଞ୍ଜିକା ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ଦିନ। ଏହା କେବଳ ଏକ ତିଥି ନୁହେଁ, ବରଂ ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ଏବଂ ପ୍ରକୃତି ପ୍ରତି ଥିବା ସମ୍ମାନର ଏକ ପ୍ରତିଫଳନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଦିନ ଓ ରାତିର ଅବଧି ପ୍ରାୟ ସମାନ ରହେ । ଏହି ସମୟରୁ ହିଁ ଗ୍ରୀଷ୍ମ ଋତୁର ପ୍ରକୋପ ବଢ଼ିଥାଏ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜିର ଦିନକୁ ‘ହନୁମାନ ଜୟନ୍ତୀ’ ଭାବେ ପାଳନ କରନ୍ତି । ଭକ୍ତମାନେ ହନୁମାନଙ୍କୁ ଶକ୍ତି ଓ ସାହସର ପ୍ରତୀକ ଭାବେ ପୂଜା କରି ନୂତନ ବର୍ଷର ଶୁଭକାମନା କରନ୍ତି । ଆଜିର ଦିନରେ ‘ପଣା’ ସେବନର ପରମ୍ପାର ରହିଛି । ତେଣୁ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତିର ନାଁ ଦିଆଯାଇଛି । ଧାର୍ମିକ ଦୃଷ୍ଟିରୁ, ପଣା ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ। ଏହା ବିଶ୍ୱାସ କରାଯାଏ ଯେ ପଣା ପାନ କରିବା ଦ୍ୱାରା ମନରେ ଶାନ୍ତି ଓ ଶରୀରରେ ଶୁଦ୍ଧତା ଆସେ। ଏହି ଦିନ ମନ୍ଦିରମାନଙ୍କରେ ବିଶେଷ ପୂଜା ଓ ପଣା ବଣ୍ଟନର ଆୟୋଜନ ହୁଏ। ପଣା ସଂକ୍ରାନ୍ତି ନୂଆ ବର୍ଷର ଆରମ୍ଭରେ ସୁଖ, ସମୃଦ୍ଧି ଓ ସୌହାର୍ଦ୍ୟର ସଂଦେଶ ବହନ କରେ। ଆଜିର ପର୍ବର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ‘ବସୁନ୍ଧରା ଠେକି’। ତୁଳସୀ ଚଉରା ଉପରେ ଏକ ଛୋଟ କଣା ଥିବା ମାଟି ପାତ୍ର ବନ୍ଧାଯାଏ । ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଅଗଣାରେ ତୁଳସୀ ଗଛ ଶୁଖିଯାଏ। ଏହି ପାଇଁ ତୁଳସୀ ଉପରେ ଆଜିର ଦିନରେ ବସୁନ୍ଧରା ଠେକି ବନ୍ଧା ଯାଏ । ଯାହା ଦ୍ଵାରା ଏହି ଠେକିରୁ ନିର୍ଗତ ବିନ୍ଦୁ ବିନ୍ଦୁ ଜଳ ତୁଳସୀ ଗଛକୁ ଆଦ୍ରତା ପ୍ରଦାନ କରିଥାଏ । ଏଥିପାଇଁ ଆଜିର ଦିନକୁ ଠେକି ବନ୍ଧା ସଂକ୍ରାନ୍ତି ମଧ୍ୟ କୁହାଯାଏ । ଅନ୍ୟପଟେ ଆଜିର ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ପୋଷ୍ଟ କରି ନବବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇ ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କଲେ ପ୍ରଧାନମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ । ଆମ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ବିଶ୍ୱ ଦରବାରରେ ଆହୁରି ଗୌରବାନ୍ୱିତ ହେଉ । Post navigation Women Robbed Sarees Worth Rs 7 lakh: ଦିନ ଦ୍ୱିପ୍ରହରରେ ସୋ-ରୁମ୍ରୁ ସାଢ଼େ ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟ Hanuman Jayanti 2026: ହନୁମାନ ଜୟନ୍ତୀ ପାଇଁ କଡ଼ା ସୁରକ୍ଷା ବଳୟରେ କଟକ ଓ ସମ୍ବଲପୁର ସହର