ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋପବନ୍ଧୁ ଦାସ ଓଡ଼ିଶା ପାଇଁ ତାଙ୍କର ଉତ୍ସର୍ଗୀକୃତ ଜୀବନ, ଅପ୍ରତିମ ତ୍ୟାଗ ଏବଂ ନିଃସ୍ୱାର୍ଥପର ସେବା ଚିରଦିନ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ସମ୍ପଦ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଉତ୍କଳମଣିଙ୍କ ଆଦର୍ଶ ଆମ ପ୍ରତ୍ୟେକଟି କାର୍ଯ୍ୟର ମୂଳଦୁଆ। ତାଙ୍କରି ସେବାଭାବକୁ ସମ୍ମାନ ଜଣାଇ ରାଜ୍ୟର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନାକୁ ତାଙ୍କ ନାମରେ ନାମିତ କରାଯାଇଛି। ଆଜି ଆମେ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରୁଥିବା ବେଳେ ଉତ୍କଳମଣିଙ୍କ ଆଦର୍ଶ ସର୍ବଦା ଆମର ପଥପ୍ରଦର୍ଶକ ସାଜିଛି।

ଏହି ଅବସରରେ ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଓ ବିଧାୟକଗଣ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ; ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହାରେ ଦୈତାରି ଦାସ ଓ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ୍‌ ପାସ୍‌ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍‌ କଲେ ଓ କଲିକତାରେ ବିଏଲ୍‌ ପଢ଼ିଥିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ  । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ‘ସମାଜ’। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରା କବିତା’ ଓ ‘ବନ୍ଦୀର ଆତ୍ମକଥା’ ପ୍ରମୁଖ ଥିଲା ତାଙ୍କର ସ୍ମରଣୀୟ କାବ୍ୟକୃତି। ୧୯୨୮ ଜୁନ୍ ୧୭ରେ ପଣ୍ଡିତ ଗୋପବନ୍ଧୁ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

Leave a Reply

Your email address will not be published. Required fields are marked *