ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ବିଧାନସଭା ଗୁହରେ ଉଠିଲା ସାମ୍ବାଦିକ ପ୍ରସଙ୍ଗ।ମନ୍ତ୍ରୀ ଅଖିଳ ଚନ୍ଦ୍ର ନାଏକ ସାମ୍ବାଦିକଙ୍କୁ ଦିଆଯାଉଥିବା ସୁବିଧା ଆଉ ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି :- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସରକାର କି କି ଯୋଜନା ପ୍ରଣୟନ କରିଛନ୍ତି ଏବଂ ଆଗାମୀ ଦିନରେ କେଉଁ କେଉଁ ଯୋଜନା ପ୍ରଣୟନ କରିବା ପାଇଁ ପ୍ରସ୍ତାବ ରହିଛି ତାର ସମ୍ପୂର୍ଣ ତଥ୍ୟ ପ୍ରଦାନ କରିବେ କି; ରାଜ୍ୟରେ ମୋଟ କାର୍ଯ୍ୟରତ ସାମ୍ବାଦିକଙ୍କ ସଂଖ୍ୟା କେତେ ତାର ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରିବେ କି ?

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସରକାର ବିଭିନ୍ନ କଲ୍ୟାଣ ମୂଳକ ସୁବିଧା ଯୋଗାଇ ଦେଉଛନ୍ତି, ଯାହାର ସବିଶେଷ ବିବରଣୀ ପରିଶିଷ୍ଟ ‘କ’ ରେ ସଂଲଗ୍ନ କରାଗଲା । ବିଭିନ୍ନ ସାମ୍ବାଦିକ ସଂଗଠନ ଦ୍ବାରା ପ୍ରଦତ୍ତ ସ୍ମାରକ ପତ୍ର ଉପରେ ଅନୁଧ୍ୟାନ କରାଯାଇ ଆଗାମୀ ଦିନରେ ଆବଶ୍ୟକ ଯୋଜନା ପ୍ରଣୟନ କରାଯିବ । ପ୍ରାପ୍ତ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୯୩୯୨ ସଂଖ୍ୟକ କାର୍ଯ୍ୟରତ ସାମ୍ବାଦିକ ଅଛନ୍ତି, ଯାହାରକି ଜିଲ୍ଲାୱାରୀ ତଥ୍ୟ ପରିଶିଷ୍ଟ ‘ଖ ’ ରେ ସଂଲଗ୍ନ କରାଗଲା ।

ଏହା ସହ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ହେଲା:-

୧. କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବା ପାଇଁ ” Odisha Working Journalists Health Insurance-2016″ ପ୍ରଣୟନ କରାଯାଇଛି। ଏତଦବ୍ୟତୀତ ଚିକିତ୍ସାକାଳୀନ ସହାୟତା ନିର୍ଦ୍ଧାରିତ ମାନକ ଅନୁଯାୟୀ ଦିଆଯାଉଛି ।

୨. କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ନିକଟତମ ଆତ୍ମୀୟଙ୍କୁ ଯୋଗ୍ୟତାର ମାନଦଣ୍ଡ ଅନୁଯାୟୀ ଟ. ୪,୦୦,୦୦୦/- (ଚାରି ଲକ୍ଷ ଟଙ୍କା ) ପ୍ରଦାନ କରାଯାଉଛି । ସେହିପରି ମୃତ ସମ୍ବାଦିକଙ୍କ ପିଲାମାନଙ୍କ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଯଥାକ୍ରମେ ମାସିକ ୧୫୦୦ ଓ ୨୫୦୦ ଟଙ୍କାର ସ‌ହାୟତା ପାଇଁ ବ୍ୟବସ୍ଥା ରହିଛି ।

୩. ଦିଲ୍ଲୀସ୍ଥିତ ଓଡିଶା ନିବାସ, କଲିକତାସ୍ଥିତ ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡିଶା ଭବନ ଏବଂ ସରକାରୀ ଡାକବଙ୍ଗଳା ମାନଙ୍କରେ ସରକାରୀ ଦରରେ ସେମାନଙ୍କ ରହଣୀ ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥାଏ ।

୪ . ଅସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ରେଳଯାତ୍ରା ନିମନ୍ତେ ରିହାତି ଦରରେ ଯିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପାସ ଦେବାକୁ ସୁପାରିଶ କରାଯାଇଥାଏ ।

୫. ରଥଯାତ୍ରା ବିବରଣୀ ସଂଗ୍ରହ କରିବାକୁ ରାଜ୍ୟସ୍ତରୀୟ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୁରୀ ଯିବାର ବ୍ୟବସ୍ଥା କରାଯାଇଥାଏ ।

୬ .ସାମ୍ବାଦିକମାନଙ୍କୁ ସଚିବାଳୟ ପ୍ରବେଶ ପତ୍ର ପ୍ରଦାନ ନିମନ୍ତେ ଗୃହ ବିଭାଗକୁ ସୁପାରିଶ କରାଯାଇଥାଏ ।

Leave a Reply

Your email address will not be published. Required fields are marked *