ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ନେଇ ବିଜୁ ଜନତା ଦଳ ରାଜ୍ୟସରକାରଙ୍କ ଉପରେ ବର୍ଷିଛି | ଏହା ଘଟଣା ସ୍ଥଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଛି ।

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସୂର୍ଯ୍ୟମଣି ବୈଦ୍ୟ ଥିଲେ । କମିଟିର ସଦସ୍ୟମାନେ ଆଜି ସନ୍ଧ୍ୟାରେ ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ସେମାନେ ଏକ ବିସ୍ତୃତ ରିପୋର୍ଟ ଦଳର ସଭାପତିଙ୍କୁ ଆସନ୍ତାକାଲି ପ୍ରଦାନ କରିବେ।

ବିଜୁ ଜନତା ଦଳର ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ମଠ ମନ୍ଦିର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ  ଉପରେ ପ୍ରଶ୍ନ ଉଠାଇଥିଲେ  ।

“ନବୀନ ସରକାରଙ୍କ ଦ୍ବାରା ରାଜ୍ୟରେ ମନ୍ଦିର ଓ ଆସ୍ଥା କେନ୍ଦ୍ରର ରୂପାନ୍ତିକରଣ କାର୍ଯ୍ୟ ଏହି ତାରା ତାରିଣୀ ମନ୍ଦିରରୁ ଆରମ୍ଭ ହୋଇଥିଲା । ଏଥିରେ ୧୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଦୁଃଖ ଓ ପରିତାପର ବିଷୟ ଯେ, ସରକାର ପରିବର୍ତ୍ତନ ହେବା ପରେ ରାଜ୍ୟର ମଠ ମନ୍ଦିରର ସୁରକ୍ଷାର ଦ୍ବାହି ଦେଇ ଶାସନକୁ ଆସିଥିବା ବିଜେପି ସରକାର ବର୍ତ୍ତମାନ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇପଡିଛି | ମା ଙ୍କ ମନ୍ଦିର ରୁ  ଅଳଂକାର, ରୁପାର ଛତ୍ର, ରୁପାର ମୁଖା ଓ ନଗଦ ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ଏକ ନିନ୍ଦନୀୟ ଘଟଣା। ଏହି ଘଟଣା ରାଜ୍ୟବାସୀଙ୍କ ଆଗରେ  ରାଜ୍ୟ ବିଜେପି ସରକାରଙ୍କ ମଠ ମନ୍ଦିରର ସୁରକ୍ଷା ପାଇଁ ଥିବା ଅକର୍ମଣ୍ୟତା ର ପର୍ଦାଫାଶ ହୋଇଛି” ବୋଲି ଡଃ ସାମନ୍ତସିଂହାର କହିଥିଲେ ।

 

Leave a Reply

Your email address will not be published. Required fields are marked *