କେନ୍ଦୁଝର ଘଟଗାଁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମା’ ତାରିଣୀଙ୍କ ଦର୍ଶନ କଲେ। ଘଟଗାଁ ହାଇସ୍କୁଲ ପଡିଆରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼ ଶୋ’ ହୋଇଥିଲା। ଯିବା ବେଳେ ଲୋକଙ୍କ କଥା ଶୁଣି ସମସ୍ୟା ସମାଧାନ ପାଇଁ କହିଥିଲେ। ମା’ ତାରିଣୀ ଙ୍କ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କଲେ। ଘଟଗାଁକୁ ଜାତୀୟ ପର୍ଯ୍ୟଟନ ଓ ତୀର୍ଥ କ୍ଷେତ୍ରର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ଓ କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଗରିବ ଲୋକଙ୍କ ସମସ୍ୟା ଜାଣିବାରେ ମୋ ପାଇଁ କିଛି ଅସୁବିଧା ନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି। ପ୍ରଥମେ ଘଟଗାଁଠାରେ ମା’ ତାରିଣୀଙ୍କ ଆଶୀର୍ବାଦ ନେଇଥିଲେ। ଘଟଗାଁ ହାଇସ୍କୁଲ ପଡିଆରେ ବୁଲି ବୁଲି ଲୋକଙ୍କ ସହ ମିଶିଥିଲେ। ମନ୍ଦିର ପରିସରରେ ସମାଜସେବୀ ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମନ୍ଦିର ବାହାରେ ଏକ ସାଧାରଣ ଲୋକ ପରି ନଡ଼ିଆ କୋରା, ମା’ଙ୍କ ଫଟୋ ଓ ଭୋଗ ସାମଗ୍ରୀ ନିଜେ ପଇସା ଦେଇ କିଣିଥିଲେ। ଦୋକାନୀ ଅଧିର ଦାସଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ। ଅଧିର ଦାସ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ମୋ ଭଳି ଗୋଟେ ସାଧାରଣ ଲୋକ ଓ ଏକ ସାଧାରଣ ଦୋକାନକୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ମୁଁ କେବେ କଳ୍ପନା କରି ନଥିଲି ବୋଲି କହିଥିଲେ।

ମା’ଙ୍କ ଦର୍ଶନ ସାରି ଫେରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁ ନଥିଲେ, ମୁଁ ସାଧାରଣ ଗରିବ ଘରୁ ଆସିଛି, ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛି। ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ମୋର ଅସୁବିଧା ନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ଵତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯିବା ସହିତ ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏବେ ମା’ଙ୍କ ମନ୍ଦିର ବିକାଶ ପାଇଁ ୫୦ କୋଟି ଟଙ୍କାର କାମ ଚାଲିଛି। ଏହା ପର୍ଯ୍ୟାପ୍ତ ନୁହେଁ, ମା’ଙ୍କ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଆଉ ୫୦ କୋଟି ର ଅନୁଦାନ ଘୋଷଣା କରିଥଲେ। ଏବେ ୧୦୦ କୋଟି ଟଙ୍କାରେ ମା’ଙ୍କ ମନ୍ଦିର ବିକାଶ କାମ ଚାଲିବ। ସେ ଆହୁରି ମଧ୍ଯ କହିଲେ ଯେ, ଖଣି ଖାଦାନ, ବୈତରଣୀ ଓ ମା’ ତାରିଣୀଙ୍କ ଆଶୀର୍ବାଦ କେନ୍ଦୁଝରକୁ ସମୃଦ୍ଧ କରିଛି।

Leave a Reply

Your email address will not be published. Required fields are marked *