ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର। ଆଗରୁ ବନ୍ଧା ପଡ଼ିଥିଲା ଧାର୍ମିକ ବିଶ୍ବାସ। ଶ୍ରୀମନ୍ଦିର ୪ ଦ୍ବାର ଖୋଲାନଯିବା ଯୋଗୁଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଅଗଣିତ ଶ୍ରଦ୍ଧାଳୁ। ହେଲେ ଆଜି ଦୀର୍ଘଦିନର ଆଶା ପୂରଣ ହୋଇଛି। ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ନୂଆ ସରକାର ଗଠନ ହେବା ପରେ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ। ଆଜି ଖୁସିରେ ନାଚି ଉଠୁଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ଶ୍ରୀକ୍ଷେତ୍ର। ଚାରି ଦ୍ୱାର ପରିକ୍ରମା କରିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଭକ୍ତ। ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା। ଏବେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ଦୂରତା ହଟିଲା। ସକାଳୁ ଭକ୍ତମାନେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ମହାପ୍ରଭୁଙ୍କୁ ଦର୍ଶନ କରିବା ଶ୍ରୀ ମାଝୀ କହିଛନ୍ତି ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ମଧ୍ୟ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯାଇଛି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ। ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବନାହିଁ। ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। Post navigation ଲୋକସେବା ଭବନରେ ସାମ୍ବାଦିକ; ଗଣମାଧ୍ୟମ ଫେରିପାଇଲା ସ୍ୱାଧୀନତା ସୁଆଣ୍ଡୋରେ ପହଞ୍ଚି ଉତ୍କଳମଣି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ