ରାତି ପାହିଲେ ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଅନ୍ୟପଟେ ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ୱାରା ସେନାପଟା ଲାଗି କରାଯାଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହେବାକୁ ଥିବାରୁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିବ । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ କଟକଣା । ଆସନ୍ତାକାଲି କେବଳ ସିଂହଦ୍ବାର ଦେଇ ପଶିବେ ଶ୍ରଦ୍ଧାଳୁ । ସିଂହଦ୍ଵାରରେ ପଶି ଅନ୍ୟ ୩ଟି ଦ୍ବାରରେ ବାହାରିବେ । ବଡ଼ଦାଣ୍ଡ ବା ଶ୍ରୀମାର୍ଗ ବାଟ ଦେଇ ଘରକୁ ଯାଇପାରିବେ । ଅନ୍ୟପଟେ ଆଜି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିର ସମୀକ୍ଷା କରିଛି ପୋଲିସ । ଆସନ୍ତା କାଲି ସକାଳ ୬ଟା ସୁଧା ପହଣ୍ଡି ଶେଷ କରିବା ପାଇଁ କହିଛନ୍ତି ସେବାୟତ । କାଲି ଭୋର ସାଢ଼େ ୪ଟାରୁ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ । ଭୋର ୫ଟାରୁ ପହଣ୍ଡି ଆରମ୍ଭ ହୋଇ ୭ଟା ମଧ୍ୟରେ ଶେଷ ହେବାସହ ପହଣ୍ଡି ପରେ ମଙ୍ଗଳା ଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ପ୍ରତ୍ୟକ୍ଷ ସ୍ନାନନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ଅପରାହ୍ଣ ୩ଟାରେ ଛେରାପହଁରା ନୀତି ଓ ୩ଟା ୪୦ ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ । ପରେ ଦୁର୍ଲ୍ଲଭ ହାତୀବେଶକୁ ଭକ୍ତ ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଣ୍ଟ ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ । ମହାପ୍ରଭୁଙ୍କ ଏହି ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ଚାରି ପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏଥିସହ ୪ କମାଣ୍ଡର, ଏସପିଙ୍କ ସହ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । Post navigation ଚନ୍ଦକା ଆପାର୍ଟମେଣ୍ଟରୁ ଅପହୃତ ମହିଳାଙ୍କୁ ଉଦ୍ଧାର କଲା ପୋଲିସ୍ କଂଗ୍ରେସ ଭବନରେ ପଶି ପିସିସି ସଭାପତିଙ୍କୁ କାଳିମାଡ଼