ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)କୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଏକାଠି ହେବା ସ‌ହ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଆକ୍ଷେପ କରୁଥିଲା ବେଳେ ରବିବାର ମୁଖ୍ୟ ନିର୍ବାଚନ କମିଶନ ଏହାର ଜବାବ ମଧ୍ଯ ରଖିସାରିଛନ୍ତି । ଆଉ ଏହି ଚର୍ଚ୍ଚା ଭିତରେ ସୋମବାର ରାଜ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଏକ ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି ଆସନ୍ତା ମାସରୁ ଅର୍ଥାତ୍ ସେପ୍ଟେମ୍ବରରୁ ଓଡ଼ିଶାରେ ଆରମ୍ଭ ହେବ ଏସ୍‌ଆଇଆର୍ ।

ଶେଷଥର ପାଇଁ ୨୦୦୨ ମସିହାରେ ରାଜ୍ୟରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା । ଆଉ ପାଖାପାଖି ୨୩ ବର୍ଷ ପରେ ପୁଣି ଏହି ପ୍ରକ୍ରିୟା ଆରମ୍ଭ ହେବ । ଗୋପାଳନ କହିଛନ୍ତି ଯେ ଏହି ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁଆରୀ ୭ ତାରିଖରେ ପ୍ରକାଶ ପାଇବ । ରାଜ୍ୟରେ ଏସ୍‌ଆଇଆର୍ ଆରମ୍ଭ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଭୋଟର ତ୍ରୁଟିକୁ ନେଇ ବିଜୁ ଜନତା ଦଳ ଏବଂ କଂଗ୍ରେସ ଆପତ୍ତି ଜଣାଇଥିଲେ । ଏହି ଦୂର ରାଜନୈତିକ ଦଳ ସମେତ ଅନ୍ୟ ଦଳମାନେ ଯେଉଁ ଅଭିଯୋଗ ଉଠାଇଥିଲେ ତା’ର ସମାଧାନ କରାଯାଇଛି । ବିଜୁ ଜନତା ଦଳର ଅଭିଯୋଗ ପ୍ରସଙ୍ଗରେ ଦୁଇ ଦୁଇଥର ଉତ୍ତର ପ୍ରଦାନ କରାଯାଇଛି । ରାଜନୈତିକ ଦଳମାନେ ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାକୁ ଦୁର୍ବଳ ନକରିବାକୁ ସେ ଅନୁରୋଧ କରିଛନ୍ତି । କହିଛନ୍ତି ଯେ ଏହା ଦ୍ୱାରା ଜନସାଧାରଣଙ୍କ ବିଶ୍ବାସ ମଧ୍ଯ ଦୁର୍ବଳ ହେଉଛି।

ଗୋପାଳନ କହିଛନ୍ତି ଯେ ନିରପେକ୍ଷ ନିର୍ବାଚନ ପାଇଁ କମିଶନ ପ୍ରତିଶ୍ରୁତିବଦ୍ଧ । ତେଣୁ ଭୋଟର ତାଲିକାର ସଠିକତା ଏବଂ ଏହାର ସ୍ବଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପ ସରୂପ ଏସ୍‌ଆଇଆର୍ ଆରମ୍ଭ କରାଯିବ । ଏହା ସଂଶୋଧନର ଏକ ଅଂଶ । ଏ ଅବସରରେ ସେ ଭୋଟ ଚୋରି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏପିକ୍ ନମ୍ବରକୁ ନେଇ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ସେ କହିଛନ୍ତି ଯେ ଓଡ଼ିଶାରେ ୭ହଜାର ଏପିକ୍ ନମ୍ବର ଥିବା ଭୋଟର କାର୍ଡକୁ ପରିବର୍ତ୍ତନ କରାଯାଇ ନୂଆ ଭୋଟର କାର୍ଡ ଦିଆଯାଇଛି । କେବଳ ୫ହଜାର ଏପିକ୍ ନମ୍ବର ବାଙ୍କୀରେ ଥିଲା । ଏହି ନମ୍ବରଗୁଡ଼ିକ ଗୁଜରାଟ ଭୋଟରଙ୍କ ସହ ମିଶୁଥିଲା । ବାକି ୨ ହଜାର ଏପିକ୍ ନମ୍ବର କର୍ଣାଟକ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ମିଶୁଥିଲା । ଏଗୁଡ଼ିକ ବଦଳାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ଏପିକ୍ ନମ୍ବରରେ କେହି ଭୋଟ୍ ଦେଇପାରିବେ ନାହିଁ । ବର୍ତମାନ ସ୍ଵତନ୍ତ୍ର ଏପିକ୍ ନମ୍ବର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦାନ  କରାଯିବ ।

Leave a Reply

Your email address will not be published. Required fields are marked *