ମୁଦା ଜମି ଦୁର୍ନୀତିରେ କର୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୁଦ୍ଧରେ ଚାଲିବ ମାମଲା। କର୍ଣାଟକ ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଦେଇଛନ୍ତି। ଏହି ଜମି ଦୁର୍ନୀତି ମାମଲା ପାଇଁ ରାଜ୍ୟପାଳ ଥାବର ଚନ୍ଦ ଗେହଲଟ ଅନୁମତି ଦେବା ପରେ ଏହା ବିରୋଧରେ ସିଦ୍ଦରମେୟା ହାଇକୋର୍ଟ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଜୋର ଝଟକା ମିଳିଛି।

କିନ୍ତୁ ବେଦାନ୍ତ ଜମି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ଏପର୍ଯ୍ୟନ୍ତ ଭାଜପା ସରକାର କାହିଁକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ନିଷ୍ପତ୍ତି ନେଇନାହାନ୍ତି ? କର୍ଣାଟକ ଜମି ଦୁର୍ନୀତି ମାମଲାଠାରୁ କେଉଁ ଗୁଣରେ କମ ବେଦାନ୍ତ ଜମି ଦୁର୍ନୀତି ମାମଲା ? ବରଂ କାହିଁ କେତେଗୁଣ ବଡ଼। ଏ ସଂକ୍ରାନ୍ତରେ ଥାନାରେ ଏତଲା ଦିଆଯିବା ସତ୍ତ୍ୱେ ପୁଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଭାଜପାର ଏଭଳି ଦୋମୁହାଁ ନୀତି କାହାକୁ ଘଣ୍ଟ ଘୋଡାଇବା ପାଇଁ ?

ମହୀଶୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ନାଁ ଉଠିଛି। ଠିକ ସେହିପରି ପୁରୀର ବେଦାନ୍ତ ଜମି ଦୁର୍ନୀତି ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨୦୬ରେ ଏକ ଜାଳି ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ କମ୍ପାନୀ ନାମରେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଉଦ୍ୟମ ଆରମ୍ଭ ହେଲା। ନବୀନ ସରକାର ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ବେଆଇନ କମ୍ପାନୀ ଜମି ଅଧିଗ୍ରହଣ କଲେ। କେବଳ ସେତିକି ନୁହେଁ ମହାପ୍ରଭୁ ଜଗନ୍ନାଥଙ୍କ ୧୫୦୦ରୁ ଅଧିକ ଅମୃତ ମଣୋହୀ ଜମି ବେଦାନ୍ତ କମ୍ପାନୀକୁ ଟେକିଦେଲେ। ସାଧାରଣ ଲୋକଙ୍କ ୬୦୦୦ ଏକରରୁ ଅଧିକ ଚାଷଜମି ମଧ୍ୟ ବେଆଇନ ବେଦାନ୍ତ ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରାଗଲା। ଏକ ନଈକୁ ମଧ୍ୟ ଦିଆଗଲା ବେଦାନ୍ତକୁ। ସରକାର ବେଦାନ୍ତ ଜମି ଜାଲିଆତି ମାମଲାରେ ଲୋକପାଳରେ ହାରିଲେ। ୨୦୧୦ରେ ହାଇକୋର୍ଟରେ ହାରିଲେ। ହାଇକୋର୍ଟ ଜମି ଅଧିଗ୍ରହଣକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଲେ। ଏହାକୁ ଚ୍ୟାଲେଞ୍ଜ କରି ନବୀନ ସରକାର ଓ ବେଦାନ୍ତ କମ୍ପାନୀ ଧାଇଁଲେ ସୁପ୍ରିମକୋର୍ଟ।

Leave a Reply

Your email address will not be published. Required fields are marked *