ପ୍ରସିଦ୍ଧ ନିର୍ଦ୍ଦେଶକ ଭି ଶାନ୍ତରେରାମଙ୍କ ଏକ ସୁନ୍ଦର ରୋମାଣ୍ଟିକ ଫିଲ୍ମର ନାଁ ଥିଲା ‘ଜଲ ବିନ ମଛଲି, ନୃତ୍ୟ ବିନ ବିଜଲି’। କାହାଣୀ ଅପେକ୍ଷା ଫିଲ୍ମର ନାଁ ବିଜୁ ଜନତା ଦଳର ସାମ୍ପ୍ରତିକ ସ୍ଥିତି ସହ ସମ୍ପୂର୍ଣ୍ଣ ଖାପ ଖାଇଯାଉଛି। ମାଛ ଜଳ ବିନା ରହିପାରେନା। ବିଜେଡି କ୍ଷମତା ବିନା ରହିପାରିବ ନାହିଁ। ବୋଧହୁଏ ଏହା ହିଁ ଏହି ଆଞ୍ଚଳିକ ଦଳ ଭାଗ୍ୟରେ ଲେଖା ହୋଇସାରିଛି।

ଶଙ୍ଖଭବନ ରାଜାନୀତି ଏତେ ଶୀଘ୍ର ଭୁବନେଶ୍ୱର ମହାନଗର ନିଗମ ଭିତରେ ପଶିଯିବ, କେହି କେବେ ୧୫ ଦିନ ଆଗରୁ କଳ୍ପନା କରିନଥିବେ। ୨୭ ତାରିଖ ଶଙ୍ଖଭବନରେ ବିଜେଡିର ଏକ ଜରୁରୀ ବୈଠକ ବସିଥିଲା। ଅକ୍ଟୋବର ୨ରୁ ୧୧ ପର୍ଯ୍ୟନ୍ତ ବିଜେଡିର ଯେଉଁ ଜନସମ୍ପର୍କ ଅଭିଯାନ ହୁଏ, ସେ ସମ୍ପର୍କରେ ମୁଖ୍ୟତଃ ବୈଠକରେ ଆଲୋଚନା ହେବାର ଥିଲା। କିନ୍ତୁ ଦୁଇଜଣ ବିଜେଡି କର୍ପୋରେଟରଙ୍କୁ ନେଇ ଆରମ୍ଭ ହୋଇଗଲା ତୁମୁଳକାଣ୍ଡ। କର୍ପୋରେଟର ଦୁଇଜଣ ହେଲେ ଅମରେଶ ଜେନା ଓ ଲିଟୁ ମହାସୁପକାର। ଏମାନେ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଓ ଏକାମ୍ର ଆସନ ପାଇଁ ଟିକଟ ଦାବିଦାର ଥିଲେ। ଅମରେଶ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରନ୍ତି। ଲିଟୁ ଏକାମରାର ପୂର୍ବ ବିଧାୟକ ଅଶୋକ ପଣ୍ଡାଙ୍କୁ ବିରୋଧ କରିଥାନ୍ତି। ନିର୍ବାଚନରେ ଅଶୋକ ହାରିଗଲେ କିନ୍ତୁ ଅନନ୍ତ ଜିତିଲେ। ବିଜେଡି ଜରୁରୀ ବୈଠକରେ ଅମରେଶ ଓ ଲିଟୁଙ୍କ ଉପସ୍ଥିତିକୁ ନେଇ ଯେଉଁ ପ୍ରବଳ କାଣ୍ଡକାରଖାନା ହେଲା, ତାହା ଏବେ ବିଏମସିରେ ପ୍ରତିଫଲଇଟି ହେଉଛି। ଅଶୋକ ଏବଂ ଅନନ୍ତଙ୍କ କିଛି ସମର୍ଥକ କର୍ପୋରେଟର ଅମରେଶ ଏବଂ ଲିଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମେୟର ସୁଲୋଚନା ଦାସଙ୍କ ଉପରେ ଚାପି ପକାଇଛନ୍ତି। ଦଳର ରାଜ୍ୟ ନେତୃତ୍ବର ଅନୁମୋଦନ ବିନା ମେୟର କିଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବେ ? ତେଣୁ ମେୟରଙ୍କ ସହିତ ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟରମାନେ ଅସହଯୋଗ କରିବା ଆରମ୍ଭ କରିଦେଇଛନ୍ତି। ସେଠାରେ ଆରମ୍ଭ ହୋଇଛି ବଡ଼ ବଳ କଷାକଷି। ଏହାଦ୍ୱାରା ବିଜେଡି ନିୟନ୍ତ୍ରଣରେ ଥିବା ମହାନଗର ନିଗମାଟି ବସ୍ତୁତଃ ଅଚଳ ହୋଇସାରିଛି। ଫାଇଦା ନେବାକୁ ଭାଜପା ତୟାର।

ଏହା କେବଳ ଗୋଟିଏ ଉଦାହରଣ।ଏଣେ ଦଳର ସଭାପତି ତାହା ବିରୋଧୀ ଦଳ ନେତା ନବୀନ ପଟନାୟକ ଘନଘନ ସମୀକ୍ଷା ବୈଠକ ଡକାଇ ଚାଲିଛନ୍ତି। ଏହା ସମ୍ପୂର୍ଣ୍ଣ ନିରର୍ଥକ ଓ ମୂଲ୍ୟହୀନ ବୋଲି ଦଳର ଅଧିକାଂଶ ନେତା ଏହି ପ୍ରତିନିଧିଙ୍କ ଆଗରେ ସ୍ୱୀକାର କରୁଛନ୍ତି।ଚର୍ବିତ ଚର୍ବଣ ଦ୍ୱାରା ଲାଭ କଣ ? ଦଳ କାହିଁକି ହାରିଲା, କ୍ଷମତା ହରାଇଲା ନବୀନ ବାବୁ ଯାଣଇନାହାନ୍ତିକି ବୋଲି ସେମାନେ କଟାକ୍ଷ କରୁଛନ୍ତି। କିନ୍ତୁ ମୂଳ କଥା ହେଲା ଦଳକୁ ଡିପ୍ରେସନ ବା ମାନସିକ ଅବସାଦରୁ ରକ୍ଷା କରିବା ପାଇଁ ଦଳର ସଭାପତିଙ୍କ ଏକ ପ୍ରୟାସ ମାତ୍ର।

ମୂଳ କାରଣ ହେଲା, ଆରମ୍ଭରୁ ବିଜେଡି କ୍ଷମତାରେ ଅଛି। ପ୍ରଥମ ଦୁଇବର୍ଷ କେନ୍ଦ୍ରରେ ଓ ତାପରେ ଲଗାତାର ୨୪ ବର୍ଷ ରାଜ୍ୟରେ କ୍ଷମତା। ନବୀନ ପଟନାୟକ ଆରମ୍ଭରୁ ସଭାପତି। ୨୪ ବର୍ଷ ମୁଖ୍ୟମନ୍ତ୍ରୀ। ତେଣୁ ବିଜେଡି କର୍ମୀ ସଙ୍କଟ ଦେଖି ନଥିଲେ। ସାଙ୍ଗଠନିକ ସଂରଚନାରେ ସେମାନଙ୍କ ଭାଗିଦାରୀ ନଥିଲା। ଯେତେବେଳେ ନବୀନ ବାବୁ ସମ୍ପୂର୍ଣ୍ଣ ଦଳକୁ ଅଫିସରମାନଙ୍କ ମର୍ଜିର ଛାଡିଦେଲେ, ସେତେବେଳେ କୌଣସି ବିଜେଡି ନେତା ଆପତି ନକରିବାର କାରଣ ଥିଲା କ୍ଷମତା। ତେବେ ଥରେ କ୍ଷମତାଚ୍ୟୁତ ହେବା ପରେ ଏବେ ଜଲ ବିନ ମଛଲି ପରି ଅବସ୍ଥା ବିଜେଡି ନେତାଙ୍କର। ତେଣୁ କେତେ ଅଧିକ କାଳ କ୍ଷମତାବିନା ତିଷ୍ଠିପାରିବ ବିଜେଡି ? ଆଉ ୬ ମାସ ପରେ ଅବସ୍ଥା ଯେ ଅସମ୍ଭାଳ ହେବ, ତାହା ବିଏମସିରୁ ଜଳଜଳ ହୋଇ ଦେଖାଯାଉଛି। ବିଏମସିରେ ଯଦି ଏଭଳି ଅବସ୍ଥା, ତେବେ ରାଜ୍ୟରେ କ୍ଷମତା ଯିବା ପରେ କଣ ହେବ ଦଳର ଅବସ୍ଥା ?

ଦୁର୍ଦ୍ଦଶା ବଢିବ। କାରଣ ହେଲା, ଦଳରେ ଦ୍ୱିତୀୟ ଧାଡ଼ିର ଗ୍ରହଣଯୋଗ୍ୟ ନେତା ନାହାନ୍ତି। ନବୀନ ବାବୁଙ୍କ ବୟସ ନାହିଁ କି ସ୍ୱାସ୍ଥ୍ୟ ବି ନାହିଁ । ତା’ଠୁ ଅଧିକ ଯେ ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି। ପାଣ୍ଡିଆନଙ୍କୁ ଲୋକେ ଏବଂ ଦଳର ନେତା ଓ କର୍ମୀମାନେ ଗ୍ରହଣ କରିବେ ନାହିଁ। ତେଣୁ କାନ୍ଥରେ ଲେଖାଯାଇ ସାରିଲାଣି ଯେ ଆଗାମୀ ଦିନ ବିଜେଡି ପାଇଁ ଆଦୌ ଭଲ ନୁହେଁ।

Leave a Reply

Your email address will not be published. Required fields are marked *