ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ଗୃହରେ ବିଜେଡ଼ି ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ଯେ ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିବେ ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଦ୍ୱାରା ଯେଉଁଠାରେ ଯିବା ଆସିବାର ସୁବିଧା ନ ଥିଲା, ଅର୍ଥାତ୍ ପିଲାମାନେ ନଦୀ ନାଳ ପାର ହୋଇ ଦୂର ବିଦ୍ୟାଳୟକୁ ପଢ଼ିବାକୁ ଗଲେ । ଫଳରେ ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଲେ ଏବଂ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିଗଲା । ଏହି ସ୍କୁଲ ଗୁଡ଼ିକୁ ଖୋଲିବାକୁ ସରକାର ପୁନର୍ବିଚାର କରିବେ କି ? ଏହା ଦ୍ୱାରା ଛାତ୍ର ସଂଖ୍ୟା ବଢ଼ିବ ଏବଂ ଡ୍ରପ୍ ଆଉଟ୍ ସଂଖ୍ୟା କମିବ ବୋଲି ସେ କହିଥିଲେ ।

ଏହାର ଉତ୍ତରରେ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେଉଁଠି ୨୦ରୁ ଅଧିକ ପିଲା ଥିବେ ତାହାକୁ ବିଚାର କରାଯିବ । ବିଗତ ସରକାର ହିଁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଡ୍ରପ୍ ଆଉଟ୍ ସଂଖ୍ୟା କମ୍ କରିବାକୁ ଏ ସରକାର ଗୁରୁତର ସହିତ ବିଚାର କରୁଛନ୍ତି । ପିଲାମାନେ ଯେପରି ଶିକ୍ଷାଦାନରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଗତ ସରକାର ବିଚାର ନ କରି ତରବରିଆ ଭାବେ ଅନେକ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ । କିନ୍ତୁ ଆମ ସରକାର ଏହାକୁ ବିଚାର କରିଛନ୍ତି ।

ଏହା ସହ ଯେଉଁ ସ୍କୁଲରେ ୨୦ରୁ ଉର୍ଦ୍ଧ୍ୱ ପିଲା ଅଛନ୍ତି, ଜିଲ୍ଲା କମିଟିରେ ପ୍ରସ୍ତାବ ଦେଲେ ରାଜ୍ୟ କମିଟି ତାର ତଦନ୍ତ କରିବ ଏବଂ ଏହା ଉପରେ ବିଚାର କରାଯିବ । ଯଦି ସେହି ସ୍କୁଲ ଗୁଡ଼ିକ ପୁନଃ ଖୋଲିବାକୁ ଯୋଗ୍ୟତା ହାସଲ କରିବେ ତାହା ହେଲେ ନିଶ୍ଚିତ ଖୋଲାଯିବ । ଚଳିତ ସରକାର ବନ୍ଦ ହୋଇଯାଇଥିବା ୪୬ଟି ସ୍କୁଲକୁ ଖୋଲିଥିବାବେଳେ ଆହୁରି ୫ଟି ବିଦ୍ୟାଳୟ ଉପରେ ବିଚାର ଜାରି ରହିଛି । କିନ୍ତୁ ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ଆଉ ଥରେ ଖୋଲାଯିବ ନାହିଁ

Leave a Reply

Your email address will not be published. Required fields are marked *