ପୁରୀ ଜିଲ୍ଲା ପିପିଲି ବ୍ଲକ୍ ପୋପରଙ୍ଗ ବିଦ୍ୟାଳୟରେ ଛାତ୍ରଙ୍କୁ ନାଗ ସାପ କାମୁଡ଼ିବା ମାମଲାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯାନୁଷ୍ଠାନ ନେଇଛନ୍ତି ବିଇଓ ରବି ନାରାୟଣ ନନ୍ଦ । ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବନ କରାଯାଇଥିବାବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଇଓ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନା ଯୋଗ୍ୟ, ଗତକାଲି କ୍ଲାସ ରୁମରେ ପିଲାମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହି ପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ। ପିଲାମାନେ ମଧ୍ୟ ସ୍କୁଲ ଘର ସଫା କରିଥିଲେ। ଏହି ସମୟରେ ଏକ ନାଗ ସାପ ସାଇକ୍ରିଷ୍ଣାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଇଓ ରବି ନାରାୟଣ ନନ୍ଦ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବନ କରିଥିବାବେଳେ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରାଉତଙ୍କୁ ବଦଳି କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *