ନିର୍ବାଚନ ପୂର୍ବରୁ ରାଜନେତାଙ୍କ ଦଳ ପରିବର୍ତ୍ତନ ସାଧାରଣ କଥା। ହେଲେ ଓଡ଼ିଶାରେ ସରକାର ବଦଳିବା ପରେ ଦଳ ଡିଆଁ ଅଧିକ ଦେଖାଦେଇଛି। ବିଜେପି ପ୍ରଥମ ସରକାର ଗଠନ କରିଥିବା ବେଳେ ବିରୋଧୀ ଦଳ ବିଜେଡିର ରାଜ୍ୟସଭା ସଦସ୍ୟ ଜଣଙ୍କ ପରେ ଜଣେ ବିଜେପିକୁ ଡେଉଁଛନ୍ତି। ଏହିକ୍ରମରେ ରାଜ୍ୟସଭାରେ ବିଜେଡିର ଆସନ ୯ରୁ ୭କୁ ଖସି ଆସିଥିବା ବେଳେ ଆଗାମୀ ଦିନରେ ବିଜେଡି ଗଡ଼ ଭୁଶୁଡିବା ନେଇ ଚର୍ଚ୍ଚା ହେଉଛି। ଏବେ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ମଧ୍ୟ ବିଜେଡି ଛାଡି ବିଜେପି ମୁହାଁ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବେଲଗାଡ଼ିଆ ରାଜପ୍ରାସାଦରେ ମୟୁରଭଞ୍ଜ ବିକାଶ ପାଇଁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେପି ନେତୃମଣ୍ଡଳୀଙ୍କ ସହ ଶ୍ରୀମତୀ ହେମ୍ବ୍ରମ ଯୋଗ ଦେଇଥିବାରୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଏଥିସହ ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ଦଳ ଛାଡିଥିବା ଆଲୋଚନା ହେଉଛି। ବୈଠକରେ ବିଜେପିର ପୂର୍ବତନ ମନ୍ତ୍ରୀ ତଥା ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ପୂର୍ବତନ ସାଂସଦ ଲଖ୍ମ୍ନ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନରେ ବାଙ୍ଗିରିପୋଷୀରୁ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ବିଜେଡି ପ୍ରତିଶୃତି ଦେଇଥିବାରୁ ସେ ବାଙ୍ଗିରିପୋଷୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ସମେତ ବିଭିନ୍ନ କାର୍ଯ୍ୟରେ ନିଜକୁ ଜଡିତ ରଖିଥିଲେ। ହେଲେ ଶେଷରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଂଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା। ଦଳ ପକ୍ଷରୁ ଏଭଳି ଆଚରଣ ସତ୍ତ୍ୱେ ସେ କୌଣସି ପାଦରେ ନଥାଇ ମଧ୍ୟ ସ୍ଥାନୀୟ ଅଂଚଳର ସମସ୍ୟା ସହ ନିଜକୁ ଜଡିତ ରଖିଛନ୍ତି । ହେଲେ ଏବେ ଜିଲ୍ଲାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *