ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉ ଥିଲେ ମଧ୍ୟ ପ୍ରାକୃତିକ ସମ୍ପଦକୁ ନଷ୍ଟ କରିବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟକ୍ତି। ରାୟଗଡ଼ା ଜିଲ୍ଲାରେ ଥିବା ନଦୀ ଗର୍ଭରୁ ବାଲି ସରିବାକୁ ବସିଲାଣି । ଦିନରାତି ଏକକରି ନଦୀ ଗର୍ଭରୁ ବାଲି ଚୋରାଚାଲାଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରକୁ।

ସେହିପରି ପାହାଡ଼ରୁ ପଥର କାଟି ପୂରା ଲଣ୍ଡା କରି ଦେଲେଣି ପଥର ମାଫିଆ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲାବେଳେ, ପଥର କୁଆଁରୀ ଗୁଡ଼ିକରେ ପାହାଡ଼ ନିଜ ଅସ୍ତିତ୍ବ ହରାଇବାକୁ ବସିଲାଣି। ଏହି ସବୁ ଆଖି ଆଗରେ ଘଟି ଯାଉଥିଲେ ମଧ୍ୟ ଚୁପ୍ ହୋଇ ବସି ରହୁଛନ୍ତି ବିଭାଗୀୟ ଅଧିକାରୀମାନେ ଯାହା ଫଳରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରେ ଥିବା ପାହାଡମାନଙ୍କରୁ କଟା ଜୋରଦାର ଚାଲିଛି ।

ଅନ୍ୟପଟେ ମାଫିଆମାନେ ମନଇଚ୍ଛା ପଥର ତାଡ଼ି ଚାଲିଥିବାବେଳେ ଉଜୁଡ଼ି ଯାଉଛି ପାହାଡ଼। ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳବାସୀ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା ନଜର ଦିଆ ନଗଲେ ଅଳ୍ପ କିଛି ବର୍ଷ ମଧ୍ୟରେ ପାହାଡ଼ରୁ ପଥର ଖାଲି ହୋଇଯିବା ସହ ପରିବେଶ ପାଇଁ ମଧ୍ୟ ବିପଦର ଆଶାଙ୍କା ରହିଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ।

Leave a Reply

Your email address will not be published. Required fields are marked *