Row over BJP MLA’s remark on BJD
ବିଜେପି ବିଧାୟକ ସରୋଜ ପାଢ଼ୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଦେଇଥିବା ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ, ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଧାୟକ ଏପରି ଅବାଂଛିତ ମନ୍ତବ୍ୟ ଦେଇଛନ୍ତି ବୋଲି କହିଛନ୍ତି ।
 
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି, ବିଧାୟକ ସରୋଜ ପାଢ଼ୀ ଓ ବିଜେପି ଉପରେ ବର୍ଷିଥିଲେ । ପଣ୍ଡା କହିଥିଲେ ଯେ, ଆସ୍କା ବିଧାୟକ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯଥା ଜୁଆ ଖେଳ ଭଳି ଘୃଣ୍ୟ କାମରେ ଲିପ୍ତ ଥିବା ରେକର୍ଡ ରହିଛି । ୨୦୨୨ ମସିହାରେ ପାଢ଼ୀ ଜୁଆ ଖେଳରେ ସମ୍ପୃକ୍ତି ପରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ, ଯାହାପରେ ତାଙ୍କ ପରିବାର ସଦସ୍ୟ ପୋଲିସ୍ରେ ଅଭିଯୋଗ କରିଥିଲେ ।
 
ଏହାର କିଛିଦିନ ପରେ ସେ ରାମେଶ୍ୱରରୁ ଉଦ୍ଧାର ହୋଇଥିଲେ । ସେତେବେଳେ ନିଜର ମାନସିକ ସ୍ଥିତି ଠିକ୍ ନଥିବା ସେ ଗଣମାଧ୍ୟମକୁ କହିଥିଲେ । ବିଧାୟକ ହେବା ପରେ, ବାଲି ମାଫିଆଙ୍କ ଠାରୁ ଜୋରଜବରଦସ୍ତି ଚାନ୍ଦା ମାଗୁଥିବାର ଅଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଆସିକା ନିର୍ବାଚନ ମଣ୍ଡଳୀରେ ବିଚ୍ ରାସ୍ତାରେ ବି ସେ ପିସି ମାଗିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି, ଯେଉଁଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ହେଉଥିବା ଦୁର୍ନୀତିରେ ସେ ସିଧାସଳଖ ସମ୍ପୃକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହିଭଳି ଜଣେ ବ୍ୟକ୍ତିଙ୍କୁ, ବିଜୁ ଜନତା ଦଳ ଓ ଓଡ଼ିଶାର ଲୋକପି୍ରୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ବିଜେପି ମନୋନୀତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।
 
ଡ଼ ମହାନ୍ତି କହିଥିଲେ ଯେ, ଗତ ୧୪ ମାସରେ ରାଜ୍ୟରେ ବିଜେପି ଶାସନରେ ସମସ୍ତ କ୍ଷେତ୍ରରେ ବିଫଳତା ଶିଖର ଛୁଇଁଛି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଶାସନ ସମୟରେ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ ୧୮.୧୯% କମିଛି । ନାରୀ ନିର୍ଯାତନାକୁ ନେଇ ଓଡ଼ିଶା ସମଗ୍ର ଦେଶ ଓ ବିଶ୍ୱରେ ନିନ୍ଦିତ ହୋଇଛି । କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ।
 
ବାଲି, ମୋରମ ଭଳି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣରେ ବିଜେପି ନେତାଙ୍କ ସମ୍ପୃକ୍ତି ଲାଗି ସରକାରୀ ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ବିଜେପି ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ସରକାର ଚଳାଇବାରେ ଅପାରଗତା ଜଳ ଜଳ ହୋଇ ଦିଶୁଛି । ରାଜ୍ୟର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ।
 
ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ମାନୁନାହାନ୍ତି । ଦୀର୍ଘ ୧୫ ଦିନ ହେଲା ଅମଲା ଆନେ୍ଦାଳନ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ, ରାଜସ୍ୱ ମନ୍ତ୍ରୀ ଏଥିରେ ବିଜେଡିର ସମ୍ପୃକ୍ତି ଅଭିଯୋଗ କରିଛନ୍ତି, ଯାହା ତାଙ୍କ ହତାଶାଭାବର ପରିଚୟ ଦେଉଛି । ଦୀର୍ଘ ୧୪ ମାସ ପରେ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ପୂରଣ ହୋଇପାରୁ ନାହିଁ । ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବିଜୁ ଜନତା ଦଳ ଉପରେ ଏହିଭଳି ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ଉଦ୍ୟମ କରିଛି ବିଜେପି । ଏହା ବିଜେପିର ହତାଶାଭାବର ପରିଚୟ ।
 
ଡ଼ ମହାନ୍ତି ଆହୁରି କହିଥିଲେ, ବିଜେପି ତରଫରୁ ବାରମ୍ବାର ଭି.କେ ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ବିଭ୍ରାନ୍ତିକର ଓ କଟୁ ମନ୍ତବ୍ୟ ପ୍ରଦାନ କରାଯାଉଛି । ଓଡ଼ିଶାବାସୀ ଭଲ ଭାବରେ ଜାଣନ୍ତି ଯେ, ଭି.କେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ନୁହଁ । ତେଣୁ ଭି.କେ ପାଣ୍ଡିଆନଙ୍କୁ ନେଇ କୁତ୍ସିତ ରାଜନୀତି ନ ହେଉ ।
 
ବିଜେଡି ଏକ ସଫଳ ରାଜନୈତିକ ଦଳ ଏବଂ ଏହାର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପି୍ରୟ ନେତା । ବିଜେପିର ଏହିଭଳି କୁତ୍ସିତ ଉଦ୍ୟମକୁ କେବେ ବି ରାଜ୍ୟବାସୀ ଗ୍ରହଣ କରିବେ ନାହିଁ । ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ୨୦୨୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେଡି ସଫଳତା ହାସଲ କରିବ ବୋଲି ଡ଼ ମହାନ୍ତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *