ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’ । ବିଳମ୍ବିତ ରାତିରେ ଭିତରକନିକାର ହାବେଳିଖଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଛି ‘ଦାନା’ । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି । ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ ।

ବାତ୍ୟା ପରେ ଆଜି ସକାଳେ ପୁଣି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଳ ହାସଲ ହୋଇଥିବା ନେଇ ଦେଲେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଅଛନ୍ତି।

ତେବେ ବାତ୍ୟାର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗର ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ବାତ୍ୟାରେ କେହି ମୃତାହତ ହୋଇ ନାହାଁନ୍ତି।  ପ୍ରଶାସନିକ ତତ୍ପରତା ଏବଂ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବାତ୍ୟାର ସଫଳ ମୁକାବିଲା କରାଯାଇଛି।ଏହା ସହ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଯାଇ କ୍ଷୟକ୍ଷତି ଆକଳନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ବାତ୍ୟା ଯୋଗୁଁ କିଛି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଏବଂ ବିଜୁଳି ବ୍ୟାଘାତ ସୃଷ୍ଟି ହୋଇଛି। ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ଶେଷ ହେବା ସହ ଯେଉଁ ଜିଲ୍ଲା ପ୍ରଭାବିତ ହୋଇଛି ସେଠାରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ୱାଭାବିକ ହେବ । ସେହିପରି ବାତ୍ୟା ସମୟରେ  ୧୬ ଶହ ଶିଶୁ ଜନ୍ମ ନେଇଛନ୍ତି ।

ବାତ୍ୟା ‘ଦାନା’ର ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *