ଆଜି ରାଜ୍ୟରେ ମୋହନ ସରକାରକୁ ପୂର୍ତ୍ତିଲା ୧୦୦ ଦିନ । ଏହି ଅବସରରେ ରାଜ୍ୟବାସୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀ ଶରଧାବାଲିରେ ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି । ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା । ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କରିଥିଲେ । କିନ୍ତୁ ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ । ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଲୁ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ । ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିଛୁ ଆଗକୁ ମଧ୍ୟ ସମସ୍ତ କାର୍ଯ୍ୟ କରିବୁ । ଲୋକଙ୍କୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ନିର୍ଦ୍ଦିଷ୍ଟ ସମୟରେ ସାରିବାକୁ ଚେଷ୍ଟା କରିବୁ ।

ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଧରୁଥି‌ଲେ। କିନ୍ତୁ ଆମେ ସେଭଳି କରୁନାହୁଁ। ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କୁ ଆମେ ଦଣ୍ଡ ଦେଉଛୁ। ଇତିମଧ୍ୟରେ ୫୮ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫଙ୍କ ମଧ୍ୟରେ ୧୭ ଜଣ କ୍ଲାସ ୱାନ୍‌ ଏବଂ ୭ ଜଣ କ୍ଲାସ୍ ଟୁ ଅଫିସର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟବାସୀଙ୍କ ଅଭିଯୋଗ ପୂର୍ବ ସରକାର ଶୁଣୁନଥିଲେ, ବରଂ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ କିନ୍ତୁ ଆମ ସରକାର ପ୍ରଥମେ ରାଜ୍ୟବାସୀଙ୍କ ଅଭିଯୋଗ ଭୁବନେଶ୍ବରରେ ଶୁଣୁଛି, ସମସ୍ୟାର ସମାଧାନ ମଧ୍ୟ କରୁଛୁ ।ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ । ଲୋକଙ୍କ ସମସ୍ୟା ଦୂର ଦେବା । ମିଛ ପ୍ରତିଶ୍ରୁତି ସମସ୍ୟାର ସମାଧାନ ନୁହେଁ, ଆମେ ନିଶ୍ଚିତ ପୂରା କରିବୁ ।

Leave a Reply

Your email address will not be published. Required fields are marked *