ରଥଯାତ୍ରାର ଆଜି ଦ୍ବିତୀୟ ଦିନ । ଅଧାବାଟରେ ଅଟକିଛି ଶ୍ରୀବିଗ୍ରହଙ୍କ ତିନିରଥ । ମରିଚିକୋଟ ଛକରେ ଅଟକିଛି ତାଳଧ୍ବଜ ରଥ । ରାଜନଅର ନିକଟରେ ଅଟକିଛି ଦର୍ପଦଳନ ରଥ ଓ ସିଂହଦ୍ବାରର ୨ ପାଦ ଆଗରେ ନନ୍ଦିଘୋଷ ରଥ । ଆଜି ପ୍ରଥମେ ରଥ ଉପରେ ନୀତିକାନ୍ତି କରାଯିବା ପରେ ଆରମ୍ଭ ହେବ ରଥଟଣା ।

ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବିରଳ ଘଟଣାରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଏଥର ଦୁଇଦିନିଆ ରଥଟଣା ।

ଗତକାଲି ଶ୍ରୀମନ୍ଦିର ରତ୍ନବେଦୀରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପରଂବ୍ରହ୍ମ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନବଦିନ ବ୍ୟାପୀ ଘୋଷଯାତ୍ରା ଆରମ୍ଭ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ସବୁ ଜାତି ଓ ଧର୍ମର ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି।

ସନ୍ଧ୍ୟା ପୂର୍ବରୁ ଆପାତତଃ ଧାର୍ଯ୍ୟ ସମୟରେ ତିନିରଥ ଗଡ଼ିବା ଆରମ୍ଭ ହୋଇଥିବାବେଳେ ଏହାକୁ ଟାଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମରୀଚିକୋଟ ଛକରେ ଅଟକି ଥିବାବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀକୃଷ୍ଣ ସିନେମା ଛକରେ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାରଠାରୁ ଅଳ୍ପବାଟ ଯାଇ ଅଟକିଛି। ସୋମବାର ସକାଳୁ ପୁଣିଥରେ ରଥଟଣା ଆରମ୍ଭ ହେବ। ତିନିରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ନିଆଯିବ। ତିନିରଥକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖା ଯାଇଛି। ଚତୁଃପାର୍ଶ୍ବରେ ବ୍ୟାରିକେଡ କରାଯିବା ସହ ଆଲୋକ ବ୍ୟବସ୍ଥା କରାଯାଇଛି। ସଶସ୍ତ୍ର ପୁଲିସବାହିନୀ ରଥଗୁଡିକୁ ଜଗି ରହିଛନ୍ତି। ରଥ ଉପରେ ମହାପ୍ରଭୁଙ୍କ ସେବା ପୂଜା କରାଯାଉଛି। ରାତିରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗି ରହିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *