ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହିଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ।

ତ୍ରେତୟା ଯୁଗରେ ଚୈତ୍ର ମାସର ଶୁକ୍ଲପକ୍ଷ ନବମ ଦିନରେ ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଭାବରେ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ରାଜପ୍ରାସାଦରେ ଜନ୍ମଗ୍ରହଣ କରିଥିଲେ। ଏହି ଅବତାରରେ ସତ୍ୟ ଏବଂ ଧର୍ମ ପ୍ରତିଷ୍ଠା ପାଇଁ ଶ୍ରୀ ରାମ ଜନ୍ମଗ୍ରହଣ କରିଥିଲେ।

ସଂସ୍କୃତ ଶବ୍ଦ ‘ରାମ’ର ଅର୍ଥ ‘ଆତ୍ମର ଆଲୋକ’, ଯାହା ଆମ ଭିତରେ ଥିବା ଅନ୍ତର୍ନିହିତ ଆଲୋକକୁ ବୁଝାଏ। ଯେତେବେଳେ ଏହି ଆଲୋକ ପ୍ରକାଶ ପାଏ, ରାମ ଜନ୍ମ ନିଅନ୍ତି। ମହର୍ଷି ପତଞ୍ଜଳିଙ୍କ ଅନୁସାରେ, ଏହି ଅନ୍ତର୍ନିହିତ ଆଲୋକକୁ ଚିହ୍ନିବା ଦ୍ୱାରା ପୂର୍ଣ୍ଣତା ଏବଂ ପବିତ୍ରତା ଆସିଥାଏ।

ରାମ ନବମୀରେ ଭକ୍ତି ଏବଂ ପୂର୍ଣ୍ଣ ବିଶ୍ୱାସ ସହିତ ପ୍ରଭୁ ରାମଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଏହି ପର୍ବ ସତ୍ୟ, ଧର୍ମ ଏବଂ ମର୍ଯ୍ୟାଦାର ପଥ ଅନୁସରଣ କରିବାକୁ ମଧ୍ୟ ଲୋକଙ୍କୁ ପ୍ରେରଣା ଦିଏ।ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କ ଜନ୍ମତିଥି ସାରା ଦେଶରେ ରାମ ନବମୀ ଭାବରେ ପାଳନ କରାଯାଏ।

ରାମନବମୀ ଉପଲକ୍ଷେ ନବଦିନବ୍ୟାପୀ ଭଜନକୀର୍ତ୍ତନ, ଅଖଣ୍ଡପାଠ ଆଦି ଚାଲେ। ବିଶେଷକରି ରାମଚରିତମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍‌ଧାମ୍‌ ଜାକଜମକରେ ପାଳିତ ହୋଇଥାଏ ରାମନବମୀ।

ଅନ୍ୟପଟେ ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମ ଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ତପ ପରେ ଏହି ଜନ୍ମନୀତି ପାଳନ ହେବ। ଏଥିପାଇଁ ସନ୍ଧ୍ୟା ୫ ଟା ରୁ ରାତ୍ର ୧୦ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତା ବିବାହ ଏବଂ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ପାଳନ ହେବ।

Leave a Reply

Your email address will not be published. Required fields are marked *