ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର, ଲୋକପ୍ରିୟ ଯୁବନେତା ପ୍ରିୟବ୍ରତ (ରାଜା) ସାମନ୍ତରାୟ ଆଜି ହଜାର ହଜାର କର୍ମୀଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଏକ ବାଇକ ରେଲି ଯୋଗେ ମିଶ୍ରଣ ପର୍ବ ସମାବେଶ ସ୍ଥଳୀକୁ ଯାଇଥିଲେ । ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ସୁଜିତ ପାଢ଼ୀ, ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର, ପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାଶ ତାଙ୍କୁ ପୁଷ୍ପମାଲ୍ୟ ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ । ଏହି ସମାବେଶରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ତଥା ସମର୍ଥକଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟ କେବଳ କଂଗ୍ରେସ ନୁହଁ ସାରା ରାଜ୍ୟର ରାଜନୀତି ଜଗତର ଜଣେ ପ୍ରଥିତଯଷା ପୁରୁଷ । ସ୍ବର୍ଗତ ସାମନ୍ତରାୟଙ୍କ ସୁପୁତ୍ର ରାଜା ସାମନ୍ତରାୟ କଂଗ୍ରେସ ପରିବାରର ସଦସ୍ୟ । ହୁଏତ ସେ ଦଳ ଛାଡି ଚାଲି ଯାଇଥିଲେ କିନ୍ତୁ କଂଗ୍ରେସ ସବୁବେଳେ ତାଙ୍କୁ ଆପଣାର ଚିନ୍ତା କରିଛି । ରାଜା ବାବୁଙ୍କ ଘର ବାହୁଡା଼ ପିପିଲି ତଥା ଅଞ୍ଚଳରେ କଂଗ୍ରେସର ପତିଆରା ନିଶ୍ଚୟ ବୃଦ୍ଧି ପାଇବ ବୋଲି କହିଥିଲେ । ରାଜା ବାବୁଙ୍କ ଘର ବାହୁଡା଼ ରାଜ୍ୟରେ କଂଗ୍ରେସର ବୃଦ୍ଧି ପାଉଥିବା ଲୋକପ୍ରିୟତା ଦର୍ଶାଉଛି । ସାଧାରଣ ଜନତା ବିଜେପି ଓ ବିଜେଡିର କୁଶାସନରେ ଅତିଷ୍ଠ ହୋଇ ଗଲେଣି । ଆଗାମୀ ଦିନରେ କଂଗ୍ରେସର ଯୁଗ ପୁଣି ପ୍ରତ୍ୟାବର୍ତ୍ତନ କରିବ ବୋଲି ଭକ୍ତ ଦାସ ଦୃଢୋକ୍ତି ପ୍ରକାଶ କରିଥିଲେ । ନିଜ ବ୍ୟକ୍ତବ୍ୟରେ ପ୍ରିୟବ୍ରତ ସାମନ୍ତରାୟ କହିଲେ, ତାଙ୍କ ହୃଦୟରେ ସବୁବେଳେ କଂଗ୍ରେସ ଥିଲା, ଅଛି ଏବଂ ରହିବ । କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବି ତଥା ଅଞ୍ଚଳ ଜନତାଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ଅଧିକାର ପାଇଁ ଲଢ଼ିବି ବୋଲି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, କଂଗ୍ରେସ ଜିଲ୍ଲା ସଭାପତି ରାଜେଶ ମିଶ୍ର, କୃଷକ ସେଲ ଅଧ୍ୟକ୍ଷ ଅଭୟ ସାହୁ, କଂଗ୍ରେସ ନାରୀ ନେତ୍ରୀ ନିରୁପମା ପାତ୍ର, ନାରୀ ନେତ୍ରୀ ଶିଳ୍ପୀଶ୍ରୀ, ଯୁବ କଂଗ୍ରେସ ନେତା ମିଲନ ପଟ୍ଟନାୟକ ପ୍ରମୁଖ ଏବଂ ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ । Post navigation Rudra Narayan Samantaray Joins BJP: ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ; ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ LPG Price Hike: ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର