ଆସିଛି ଓଡ଼ିଆଙ୍କ ପାରମ୍ପାରିକ ଓ ଗଣପର୍ବ ରଜ । ଆଜି ପହିଲି ରଜ । ଯାହାକୁ ନେଇ ଉତ୍ସବମୁଖର ଗାଁଠୁ ସହର ।  ପହିଲି ରଜରେ ଚଳଚଞ୍ଚଳ ରହିଛି ଗାଁଠୁ ସହର । ପୋଡ଼ପିଠାର ମହକରେ ବାସୁଛି ଚତୁର୍ଦ୍ଦିଗ । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପ୍ରଥମରେ ରଜ ପର୍ବ ପାଳନ କରାଯାଏ । ୩ଦିନ ଧରି ପାଳିତ ହୋଇଥାଏ ଏହି ରଜ ପର୍ବ । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁଆଁରୀମାନେ ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ କୁଙ୍କୁମ ଲଗାଇ ସଜବାଜ ହୋଇଛନ୍ତି  । ଏଥିପାଇଁ କୁମାରୀଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ଦିନ ବା ଅନ୍ତିମ ଦିନ ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ ।

ରଜର ଅର୍ଥ ହେଉଛି ରଜବତୀ ହେବା । ମାଟି ମା’ ବର୍ଷାର ଆଗମନରେ ରଜସ୍ୱଳା ହୋଇଥାଏ । ସେଥିପାଇଁ ଏହି ତିନିଦିନ ମାଟିରେ ଖାଲି ପାଦରେ ଚାଲିବା ପାଇଁ ବାରଣ କରାଯାଏ । ଏହି ଦିନରେ ଚାଷୀମାନେ ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ସେଥିପାଇଁ ତିନି ଦିନ ଧରି ମାଟି ମାଆକୁ ବି ପୂଜା କରାଯାଏ । ରଜ ପରେ ଚାଷୀ ତାର ଚଳିତ ବର୍ଷର ପ୍ରଥମ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ।

Leave a Reply

Your email address will not be published. Required fields are marked *