ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ । ବର୍ଷା ଓ ପବନ ନେଇ ଦକ୍ଷିଣ ଓଡ଼ିଶାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି । ଆଗାମୀ ୭ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବର୍ଷା, ପବନ ଓ ବିଜୁଳି ଘଡ଼ଘଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ମୁତାବକ, ଓଡ଼ିଶା ଏବଂ ତାର ପାଖାପାଖି ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର୍ ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେଥିପାଇଁ ୨୭ ତାରିଖ ଠାରୁ ଆରମ୍ଭ କରି ଏପ୍ରିଲ ୨ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ପାଇଁ ରାଜ୍ୟର ଚାରୋଟି ଜିଲ୍ଲା ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ବର୍ଷା ଓ ପବନ ହେବାର ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ଦେବ । ସେହିପରି କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ଆକଳନ କରାଯାଇଛି । ସେହିପରି ରାଜ୍ୟର ୨୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ । ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ଦେବ । ଗଞ୍ଜାମ ଓ ଗଜପତିରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବ । ସେହିପରି କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି, ୨୮ ତାରିଖ ପାଇଁ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପୁର ୟେଲୋ ସତର୍କତା ସୂଚନା ଜାରି କରାଯାଇଛି । ସେହିପରି ୨୯ ଏବଂ ୩୦ ତାରିଖ ପାଇଁ ମାଲକାନଗିରି, କୋରାପୁଟ ଏବଂ ମୟୂରଭଞ୍ଜ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଆଗାମୀ ୩୦ ଓ ୩୧ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ମାର୍ଚ୍ଚ ୩୧ ଓ ଏପ୍ରିଲ ୧ ତାରିଖ ପାଇଁ ୧୭ ଟି ଜିଲ୍ଲାକୁ ୟେଲୋଆଲର୍ଟରେ ରହିଛି । ଦିନର ସର୍ବୋଚ୍ଚ ତାପମାତ୍ରା ଦୁଇ ଦିନରେ ୪୦ ଡିଗ୍ରୀ ଛୁଇଁପାରେ । ରାଜ୍ୟରେ ବର୍ତ୍ତମାନ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ । ଝାରସୁଗୁଡ଼ା, ଟିଟିଲାଗଡ଼, ସମ୍ଵଲପୁର, ସୁନ୍ଦରଗଡ଼ରେ ୪୦ଡିଗ୍ରୀ ଛୁଇଁପାରେ ତାପମାତ୍ରା । Post navigation VAT On Petrol, Diesel And Cooking Gas: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଭାଟ୍ ହ୍ରାସ ପାଇଁ ଦାବି ଉଠାଇଲା ବିଜେଡି Former MP Narayan Sahu Passes Away: ପୂର୍ବତନ ସାଂସଦ ନାରାୟଣ ସାହୁଙ୍କ ପରଲୋକ