କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ୟୁପିର ରାଏବରେଲି ମଧ୍ୟରେ ଗୋଟିଏ ଆସନ ବାଛିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଉପରୋକ୍ତ ୨ଟି ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟୀ ହୋଇଥିଲେ। କିନ୍ତୁ ନିୟମ ଅନୁଯାୟୀ ରାହୁଲଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେଣୁ ରାହୁଲ କେଉଁ ଆସନ ରଖିବେ ଏବଂ କେଉଁ ଆସନ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା‌ବେଳେ ଆଜି ଶେଷରେ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ୱାୟନାଡ ଆସନରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଲୋକ ସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି।

ସୋମବାର କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ଗାନ୍ଧୀ ରାଏବରେଲି ଏମପି ରହିବେ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଆସନରୁ ନିର୍ବାଚନ ଇନିଂସ ଆରମ୍ଭ କରିବେ। ରାହୁଲ ଗାନ୍ଧୀ ଶେଷରେ ୱାୟନାଡ଼ ଆସନକୁ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରିୟଙ୍କା ୱା‌ୟନାଡ଼ ଆସନରୁ ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିବେ। ରାହୁଲ ରାଏବରେଲି ଆସନର ସାଂସଦ ରହିବେ। କଂଗ୍ରେସ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଏହି ଘୋଷଣା କରିଛନ୍ତି।

ଦଳର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖଡ଼ଗେ କହିଛନ୍ତି, ରାଏବରେଲି ଆସନ ଦୀର୍ଘବର୍ଷ ଧରି ରାହୁଲ ଏବଂ ତାଙ୍କ ପରିବାରର ଅତି ଘନିଷ୍ଠ ହୋଇଥିବାରୁ ରାହୁଲ ଏହି ଆସନରେ ସାଂସଦ ରହିବେ। ଅନ୍ୟପକ୍ଷେ ୱାୟନାଡ଼ର ଲୋକମାନେ ମଧ୍ୟ ରାହୁଲଙ୍କୁ ବହୁତ ଭଲପାଇବା ଦେଇଛନ୍ତି ଏବଂ ୱାୟନାଡ଼ରେ ମଧ୍ୟ ଲୋକମାନେ ରାହୁଲଙ୍କୁ ସେମାନଙ୍କ ନେତା ଭାବେ ଚାହାନ୍ତି। କିନ୍ତୁ ନିୟମ ଏଥିପାଇଁ ଅନୁମତି ଦେବନି। ତେଣୁ ଆମେ ପ୍ରିୟଙ୍କାଙ୍କୁ ୱାୟନାଡ଼ ଆସନ ଦେବାପାଇଁ ସ୍ଥିର କଲୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *