ୟାଜଦାନୀ ଷ୍ଟିଲ କାରଖାନାର ବିଷାକ୍ତ ଜ୍ବାଳାରେ କଳିଙ୍ଗନଗର ଟାଙ୍ଗରସାହିରେ ମଣିଷ ମଡ଼କ ପଡିଛି। ଗତ ୫ ବର୍ଷରେ ଯକ୍ଷ୍ମା ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆଦିବାସୀ ଗାଁର ୨୩ ଜଣ ପ୍ରାଣ ହରାଇଲେଣି। ଏ ନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଆର୍ଡିସିଙ୍କ ଯାଏ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ତେବେ ଏ ବାବଦରେ ଅଗଷ୍ଟ ୧୫ରେ ଅଦିନୀ ଖବରକାଗଜ ନିର୍ଭୟରେ ଖବର ପ୍ରକାଶ ପାଇବା ପରେ ପ୍ରଦୂଷଣ ବିଭାଗର ନିଦ ଭାଙ୍ଗିବା ସହ କାରଖାନା କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଶନିବାର ଚିଠି ନଂ. ୧୫୮୫୬ ଜାରି କରାଯାଇ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯିବା ସହ କଡା ଚେତାବନୀ ଦିଆଯାଇଛି।

ପ୍ରକାଶ ଯେ, କାରଖାନାରୁ ନିର୍ଗତ କୁହାଯାଉଥିବା ଡୋଲଚାର ହଜାର ହଜାର ଟ୍ରିପ ବିଷାକ୍ତ ବର୍ଜ୍ୟ ପାଉଁଶକୁ କାରଖାନା ପଛପଟେ ପାହାଡ଼ ଭଳି ଗଦା କରାଯାଇଛି। ଚାନ୍ଦିଆ ମୌଜାର ଖାତା ନଂବର- ୧୬, ପ୍ଲଟ ନଂବର-୬୩୦ ଏବଂ ଦଶମାନିଆ ମୌଜାର ଖାତା ନଂବର-୧୩୦ ଏବଂ ପ୍ଲଟ ନଂବର-୨ରେ ଅବସ୍ଥିତ ଜମି ଉପରେ ୟାଜଦାନୀ କର୍ତ୍ତୃପକ୍ଷ ପାହାଡ଼ ସଦୃଶ ହଜାର ହଜାର ବର୍ଜ୍ୟ ପାଉଁଶ ବା ଡୋଲଚାର ଖୋଲା ଆକାଶ ତଳେ ମହଜୁଦ ରଖିଛନ୍ତି।

କେବଳ ଏତିକି ନୁହେଁ, ଅଧିକ ବିଦ୍ୟୁତ ବିଲ ଦେବାକୁ ପଡୁଥିବାରୁ ଡଷ୍ଟ ସପ୍ରେସନ ମେସିନ ନଚଲାଇ କର୍ତ୍ତୃପକ୍ଷ ବେଆଇନ ଭାବରେ କାରଖାନାରୁ ରୀତିମତ ଉତ୍ପାଦନ ଚଳାଇଥିବା ମଧ୍ୟ ଅଭିଯୋଗ ହେଉଛି। ଫଳରେ ସ୍ଥାନୀୟ ବାସିନ୍ଦା ଧୂଳିଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି। ଏପରିକି ଗୁଣ୍ଡ ଧୂଳି ଉଡି କୁହୁଡିର ଭ୍ରମ ସୃଷ୍ଟି କରୁଥିବା ବେଳେ ସାମାନ୍ୟ ପାଣି ଛିଞ୍ଚିବା ବ୍ୟବସ୍ଥା ମଧ୍ୟ କରୁନାହାନ୍ତି। କାରଖାନାର ବର୍ଜ୍ୟ ଜଳକୁ ଆଦୌ ବିଶୋଧନ କରାନଯାଇ ବାହାରକୁ ଛଡାଯାଉଛି। ଫଳରେ ଏହା ଏକ ବିଷାକ୍ତ ପରିବେଶ ସୃଷ୍ଟି କରୁଛି। ଫଳରେ କାରଖାନା କର୍ତ୍ତୃପକ୍ଷ ତୁରନ୍ତ ଏସବୁ ଦିଗରେ ସୁଧାର ଆଣିବାକୁ ପ୍ରଦୂଷଣ ବିଭାଗ ପକ୍ଷରୁ କଡା ତାଗିଦ କରାଯିବା ସହିତ ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *