ଜଣାଶୁଣା ଆଇନଜୀବୀ ନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରିଲାଣି । କିନ୍ତୁ ତଦନ୍ତ ନାମରେ ଅନ୍ଧାରରେ ବାଡ଼ି ବୁଲାଉଛି ବ୍ରହ୍ମପୁର ପୁଲିସ୍ । କ୍ରାଇମ୍ ସହର ଭାବେ କୁଖ୍ୟାତ ଏହି ରେଶମ ସହରକୁ ମାଫିଆ ଗୁଣ୍ଡାରାଜର ପୁନଃ ପ୍ରବେଶ ଘଟିଛି ବୋଲି ଆଲୋଚନା ହେଉଛି । ଜଣେ ଖ୍ୟାତନାମା ନେତାଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଏଣ୍ଟ ବ୍ଲାଙ୍କରେ ଗୁଳି କରିବା ସହ ଆତତାୟୀମାନେ ଫେରାର୍ ହୋଇଯିବା ଅନେକ ପ୍ରଶ୍ନବାଚ ସୃଷ୍ଟି କରିଛି। ଏହି ସମୟରେ ବି.ଏନ୍. ପୁର ଥାନା ଅଧିକାରିଣୀ ସୁଚିତ୍ରା ପରିଡ଼ା ଓ ଏସ୍.ପି. ଶ୍ରବଣ ବିବେକ ଏମ୍. ଛୁଟିରେ ଯିବା ଏକ ସଂଯୋଗ ନା ଏଥିରେ କିଛି ରହସ୍ୟ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । କୁମାର ପୂର୍ଣ୍ଣିମା ରାତ୍ରିରେ ଜନଗହଳିପୂର୍ଣ୍ଣ କ୍ରାଇମ୍ ସ୍ପଟ୍ରେ ପୁଲିସ୍ ପହରା ନଥିବା ପୁଲିସ୍ର ପାରିବାପଣିଆକୁ ପଦାରେ ପକାଇଛି। ପ୍ରକାଶଥାଉକି ସର୍ଗତ ପୀତବାସ ପଣ୍ଡା କଂଗ୍ରେସର ସକ୍ରିୟ ସଦସ୍ଯ ଥିଲେ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭାଜପାରେ ଯୋଗଦେଇଥିଲେ । ଦୁର୍ନୀତିକୁ ପର୍ଦ୍ଦାଫାସ୍ କରିବା ଓ ଅନ୍ୟାୟକୁ ବିରୋଧ କରିବା, ଗରିବ ଲୋକଙ୍କୁ ସାହାଯ୍ୟ କରିବା ପୀତବାସଙ୍କ ରୁଚି ଥିଲା । ଏହି ହତ୍ୟାକାଣ୍ଡ ରାଜନୈତିକ ନା ବ୍ୟକ୍ତିଗତ ଆକ୍ରୋଶ ଏପର୍ଯ୍ୟନ୍ତ ପୁଲିସ୍ ସ୍ପଷ୍ଟ କରିନାହିଁ । ଅପରାଧ ସ୍ଥଳରେ ଥିବା ସିସିଟିଭି କ୍ୟାମେରାକୁ ବାହାର କରିନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏକ ଗଭୀର ଷଡ଼ଯନ୍ତ୍ର କରାଯାଇ ପାଇ ପୀତାବାସଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଆଶଙ୍କା ଦୃଢ଼ୀଭୂତ ହେଉଛି। ତେବେ କିଛି ଦୂରରେ ସିସିଟିଭି ଫୁଟେଜ୍ କୁ ନେଇ ହତ୍ୟାକାରୀମାନଙ୍କୁ ଚିହ୍ନଟ କରିବାପାଇଁ ଉଦ୍ୟମ କରୁଛି ପୁଲିସ୍ । ସ୍ବର୍ଗତ ପଣ୍ଡା ଗୋପାଳପୁର ଗଣଧର୍ଷଣ ମାମଲାର ଅଭିଯୁକ୍ତମାନଙ୍କର ଓକିଲ ଥିଲେ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏକ ଭାଇରାଲ ଭିଡ଼ିଓରେ ଅଭିଯୁକ୍ତମାନଙ୍କୁ ଛାଡ଼ିଦେବା ପାଇଁ ମନ୍ତ୍ରୀ ବିଭୂତି ଜେନା ଓ ସ୍ବର୍ଗତ ପୀତବାସ ପଣ୍ଡା ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଆରୋପ ଲଗାଇଥିଲେ । ଏହି ହତ୍ୟାକାଣ୍ଡ କାଣ୍ଡରେ ଆରୋପ ପ୍ରତ୍ୟାରୋପର ଫଳ ବୋଲି କିଛି ଲୋକ କହୁଛନ୍ତି । ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅସ୍ବୀକାର କରାଯାଇପାରୁନାହିଁ । ସେ ଯାହା ହେଉ ସ୍ବର୍ଗତ ପଣ୍ଡାଙ୍କ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲାର ଅବକ୍ଷୟମୁଖୀ ଆଇନଶୃଙ୍ଖଳା ପରିସ୍ଥିତିର ଏକ ଜ୍ଵଳନ୍ତ ଉଦାହରଣ । ଏକ ମାସରେ ଏହି ଜିଲ୍ଲାରେ ଅନ୍ୟୁନ ୨୦ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି। ଭାଜପା ସରକାର ଆସିବା ପରେ ଆଇନଶୃଙ୍ଖଳା ଉନ୍ନତି ଘଟିବ ବୋଲି ଲୋକମାନେ ବହୁତ ଆଶାବାଦୀ ଥିଲେ । କିନ୍ତୁ ଜିଲ୍ଲାରେ ଏକଚାଟିଆ ପ୍ରାଧାନ୍ୟ ହାସଲ କରିଥିବା ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ମନ୍ତ୍ରୀଙ୍କ ଘର ଆଗରେ ଜଣେ ଓକିଲ ଓ ତାଙ୍କ ପରି ବାରକୁ ସଂଘବଦ୍ଧ ଆକ୍ରମଣ କରିବା ଓ ପୁଲିସ୍ ତାଙ୍କୁ ଗିରଫ ନ କରିବା ଜିଲ୍ଲାର ଅଧୋଗତି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି । ମନ୍ତ୍ରୀଙ୍କ ୧୦ ଜଣ ଯୁବକ ବୁଲେଟ୍ ଗ୍ରୁପ୍ କରି ପଇଁତରା ମାରିବା ଭୟର ବାତାବରଣ ସୃଷ୍ଟି କରୁଛି । ଭଞ୍ଜବିହାର ଗଣ୍ଡଗୋଳ ଓ ଅନ୍ୟାନ୍ୟ ଅପରାଧ ଦିନକୁ ଦିନ ବଢ଼ୁଥିବା ବେଳେ ପୁଲିସ୍ ନିଷ୍କ୍ରିୟତା ବିଭୂତି ଜେନାଙ୍କ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି । ମଙ୍ଗଳବାର ସର୍ଗତ ପଣ୍ଡାଙ୍କ ଅନ୍ତେଷ୍ଟିକ୍ରିୟାରେ ବେଶ୍ ସମାଗମ ଦେଖିବାକୁ ମିଳିଥିଲା। ଏକ ସ୍ଵରରେ ସମସ୍ତେ ଏହି ବର୍ବର ହତ୍ୟାକାଣ୍ଡକୁ ନିନ୍ଦା କରିଥିଲେ । ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ବିଭୂତି ଜେନା ସହ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଏହି ହତ୍ୟାକାଣ୍ଡ ପ୍ରତିବାଦରେ ରାଜ୍ୟର ସବୁ ଆଇନଜୀବୀ ବୁଧବାର କଲମ ଛାଡ଼ – ପ୍ରତିବାଦ କରିବେ ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ଗଞ୍ଜାମରେ କୋକୁଆଭୟ ସୃଷ୍ଟି କରିଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତୁରନ୍ତ ହସ୍ତକ୍ଷେପ କରି ଆଇନ ଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ କରିବେ ବୋଲି ଆଶା କରାଯାଉଛି । Post navigation ନୂଆଦିଲ୍ଲୀରୁ ଫେରି ନୂଆପଡ଼ା କେବେ ଯିବେ ନବୀନ ? କାଲି ରାଜ୍ୟ ବିଜେପି ଅଫିସରେ ଦିଆଯିବ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ