କେନ୍ଦ୍ର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା ପରେ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ପୋଲାଭରମ ପ୍ରକଳ୍ପ କାମ ଅଟକିବନି କହିଲେ କେନ୍ଦ୍ର ସରକାର। ତେଣୁ ଏ ନେଇ ତେଜିଛି ରାଜନୀତି। ବଜେଟରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଶେଷ ସହାୟତା ଘୋଷଣା କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶର ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅନୁଦାନ ଘୋଷଣା ଦ୍ୱାରା ଓଡ଼ିଶାକୁ ଶକ୍ତ ଧକ୍କା ଲାଗିଛି ।

ପୋଲାଭରମ ପ୍ରକଳ୍ପକୁ ନେଇ ଦୀର୍ଘବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡ଼ିଯିବ। ଉପାନ୍ତ ଜିଲ୍ଲା ପ୍ରଭାବିତ ହେବ। ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର ପ୍ରାୟ ୩୦ ହଜାର ଜନସାଧାରଣ ପ୍ରଭାବିତ ହେବେ। ମୋଟୁ ଅଞ୍ଚଳର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଗାଁ ବୁଡ଼ିଯିବାର ସମ୍ଭାବନା ରହିଛି। ଏହାସତ୍ତ୍ୱେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଭୁଲି ସହଯୋଗୀ ଦଳକୁ ସମର୍ଥନ ଜଣାଇ ଏଭଳି ବଜେଟ ଆଣିଥିବା ଅଭିଯୋଗ କଲେ ବିଜେଡି ଓ କଂଗ୍ରେସ।

ଅପରପକ୍ଷରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଓଡ଼ିଶା ବିରୋଧୀ କହି ପ୍ରବଳ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଓଡ଼ିଶାବାସୀ ବିଜେପିକୁ ବହୁମତ ଦେଇ ଜିତାଇଥିବାବେଳେ ବିଜେପି ସେମାନଙ୍କ ପ୍ରତି ବିଶ୍ବାସଘାତକତା କରିଥିବା ଅଭିଯୋଗ ଆଣିଛନ୍ତି ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେପି କହିଛି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କିଛି କ୍ଷତି ହେବନି। ଯଦି ସେମିତି ହୁଏ ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସେ ବିଷୟରେ ଚିନ୍ତା କରିବେ। ବିଜେପିର ଏଭଳି ଉତ୍ତରକୁ କାଉଣ୍ଟର କରିଛି କଂଗ୍ରେସ। କଂଗ୍ରେସ କହିଛି ଯେ, ପୋଲାଭରମ ପ୍ରକଳ୍ପର ଉଚ୍ଚତା ଯୋଗୁଁ ଵ୍ୟାକୱାଟର ଓଡିଶାକୁ କ୍ଷତି ପହଞ୍ଚାଇବ ବୋଲି ଆକଳନ କରାଯାଉଥିବାରୁ ଡ୍ୟାମର ଉଚ୍ଚତା କମାଇବାକୁ ଦାବି କରାଯାଉଛି। ଏ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ବି ରହିଛି। ହେଲେ ଏହାଦ୍ୱାରା ଓଡ଼ିଶାର କ୍ଷତି ହେବନି ବୋଲି ସଫେଇ ଦେଇ ବିବାଦୀୟ ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି କେନ୍ଦ୍ର ସରକାର।

ଏ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏହା ଓଡ଼ିଶା ପ୍ରତି ସମ୍ପୂର୍ଣ୍ଣ ପକ୍ଷପାତିତା। ଏହି ପ୍ରକଳ୍ପ ହେଲେ ଓଡ଼ିଶା ବ୍ୟାପକ କ୍ଷତି ସହିବ ବୋଲି ପୂର୍ବ ବିଜେଡି ସରକାର ବାରମ୍ବାର କେନ୍ଦ୍ରକୁ ଅବଗତ କରିଥିଲେ। ହେଲେ ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା ଓଡ଼ିଶା ସ୍ବାର୍ଥ ପ୍ରତି କୁଠାରଘାତ କରିଛି।

ଜନତାଙ୍କ ସରକାର କହୁଥିବା ବିଜେପି ସରକାର ଆଜି କେମିତି ସାଧାରଣ ଜନତାଙ୍କ କଥା ଭୁଲିଗଲା। ଏହି ପ୍ରକଳ୍ପକୁ ଓଡ଼ିଶାବାସୀ କେବେ ବି ସମର୍ଥନ କରିବେନି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏକ ବଡ଼ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିବ। ରାଜ୍ୟବାସୀଙ୍କ ଆକ୍ରୋଶର ଶିକାର ହେବ ବିଜେପି ସରକାର।

Leave a Reply

Your email address will not be published. Required fields are marked *