ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କଶ୍ମୀରର ସୋନମର୍ଗ ଗସ୍ତ କାଳରେ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ଜେଡ୍-ମୋଡ୍ ଟନେଲ୍’ର ଲୋକାର୍ପଣ କରିଛନ୍ତି। ଏଥିରେ ୬.୪ କିଲୋମିଟର ଲମ୍ବ ସୋନମର୍ଗ ମୁଖ୍ୟ ଟନେଲ୍, ଏକ ପ୍ରସ୍ଥାନ ସୁଡ଼ଙ୍ଗ ଏବଂ ପ୍ରବେଶ ପଥ ରହିଛି । ଏହା ସହ ସମୁଦ୍ର ପତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ନିର୍ମିତ ଏହି ସୁଡ଼ଙ୍ଗ ଶ୍ରୀନଗରକୁ ଲେହ ସହିତ ଯୋଡ଼ିଛି। ୨୭୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଲୋକାର୍ପଣ ହେବା ଦ୍ବାରା ଜମ୍ମୁ କଶ୍ମୀରବାସୀ ଓ ପର୍ଯ୍ୟଟକଙ୍କର ସମୟ ପୂର୍ବାପେକ୍ଷା କିଛି ପରିମାଣରେ ହ୍ରାସ ପାଇବ। ବରଫପାତ ପାଇଁ ୬ ମାସ ହାଇୱେ ବନ୍ଦ ରହୁଥିବା ବେଳେ ବର୍ତ୍ତମାନ ସେହି ସମସ୍ୟାରୁ ମୁକ୍ତି ମିଳିପାରିବ । ଶ୍ରୀନଗର-ଲେହ ହାଇୱେରେ ଗଗନଗୀରରୁ ସୋନମାର୍ଗ ଯାତ୍ରା ପାଇଁ ୧ ଘଣ୍ଟା ସମୟ ଲାଗୁଥିବା ବେଳେ ବର୍ତ୍ତମାନ ଏହା ମାତ୍ର ୨୦-୨୫ ମିନିଟ ସମୟରେ ପୂରା ହୋଇପାରିବ । ଟନେଲ୍ ଉଦଘାଟନ ଅବସରରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଏଲଜି ମନୋଜ ସିହ୍ନା ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ; ୨୦୨୮ ସୁଦ୍ଧା ଜୋଜିଲା ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାରୁ ଏହି ରାସ୍ତାର ଦୈର୍ଘ୍ୟ ୪୯ କିଲୋମିଟରରୁ ୪୩ କିଲୋମିଟରକୁ ହ୍ରାସ ପାଇବ। ଏହାଦ୍ଵାରା ଯାନବାହନର ବେଗ ଘଣ୍ଟା ପ୍ରତି ୩୦ କିଲୋମିଟରରୁ ୭୦ କିଲୋମିଟରକୁ ବୃଦ୍ଧି ପାଇବ, ଯାହା ଶ୍ରୀନଗର ଉପତ୍ୟକା ଏବଂ ଲଦାଖ ମଧ୍ୟରେ ଜାତୀୟ ରାଜପଥ-୧ ସଂଯୋଗକୁ ସୁନିଶ୍ଚିତ କରିବ। ଏହି ବର୍ଦ୍ଧିତ ଯୋଗାଯୋଗ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ପ୍ରୋତ୍ସାହିତ କରିବ। ଏହା ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଅର୍ଥନୈତିକ ବିକାଶ ଏବଂ ସାମାଜିକ-ସାଂସ୍କୃତିକ ଏକୀକରଣକୁ ପ୍ରୋତ୍ସାହିତ କରିବ। Post navigation ପ୍ରୟାଗରାଜ ମହାକୁମ୍ଭ ଆରମ୍ଭ; ବୁଡ଼ ପକାଇଲେ ଳକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ‘ନାଗ-୨’ର ସଫଳ ପରୀକ୍ଷଣ; ଶକ୍ତିଶାଳୀ ହେବ ଭାରତୀୟ ସେନା