୫୪ ବର୍ଷରେ ପଦାର୍ପଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜୁନ୍‌ ୧୨ତାରିଖରେ ଶପଥ ଗ୍ରହଣ କରିଥିଲେ । ବିଜେପିର ଏହି ଯୁବ ନେତା ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଁ ରେକର୍ଡ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲ ପ୍ରଧାନମନ୍ତ୍ରୀ ମୋଦି । ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦୀ କହିଛନ୍ତି ଓଡ଼ିଶାର କଠିନ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମୋଦୀ ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣ ରାଜ୍ୟରେ ନିରନ୍ତର ଭାବେ ଜନସେବା ଏବଂ ସୁଶାସନକୁ ତ୍ୱରାନ୍ୱିତ କରୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ ଆପଣଙ୍କର ସଫଳ ଜୀବନ ଯାତ୍ରାର କାମନା କରୁଛି।

ସୂଚନା ଯୋଗ୍ୟ; ୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ରାଇକଳା ଗ୍ରାମର ଏକ ସାଧାରଣ ସାନ୍ତାଳ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ୧୯୯୩ରେ ସ୍ନାତକ (ଗ୍ରାଜୁଏଶନ) ଏବଂ ପରେ ସ୍ନାତକୋତ୍ତର (ଏମ୍‌ଏ) ପାସ୍‌ କରିଥିଲେ। ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଏଲଏଲ୍‌ବି ପାସ୍‌ କରି ପ୍ରଥମେ ଝୁମ୍ପୁରାସ୍ଥିତ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା (ଗୁରୁଜୀ) ଆରମ୍ଭ କରିଥିଲେ। ଶିକ୍ଷକତା ସମୟରୁ ହିଁ ତାଙ୍କ ମଧ୍ୟରେ ସମାଜସେବା ଓ ଶୃଙ୍ଖଳିତ ଜୀବନଯାପନର ମୂଳଦୁଆ ପଡ଼ିଥିଲା।

ତାଙ୍କର ରାଜନୈତିକ ଜୀବନ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିଲା। ସେ ପ୍ରଥମେ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ୧୯୯୭ରେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ଯାଏ ସେ ଏହି ପଦବୀରେ ଜନସେବା କରିଥିଲେ। ଏହାପରେ ସେ କେନ୍ଦୁଝର ସଦର ବିଧାନସଭା ଆସନରୁ ଭାଜପା ଟିକେଟରେ ୨୦୦୦, ୨୦୦୪, ୨୦୧୯ ଏବଂ ୨୦୨୪ରେ ବିଜୟୀ ହୋଇଛନ୍ତି। ୨୦୧୯ରୁ ୨୦୨୪ ମଧ୍ୟରେ ସେ ଭାଜପାର ମୁଖ୍ୟ ସଚେତକ ଭାବେ ବିଧାନସଭାରେ ଲୋକଙ୍କ ସମସ୍ୟାକୁ ଦୃଢ଼ ଭାବେ ଉପସ୍ଥାପନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 

Leave a Reply

Your email address will not be published. Required fields are marked *