ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା । ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ, ଛାତ୍ର ନେତା ବଳରାମ ସାହୁ ପ୍ରମୁଖଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା । ଏହି ଅବସରରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଝାରପଡା ସ୍ୱତନ୍ତ୍ର କାରଗାରାକୁ ଯାଇ ସେମାନଙ୍କୁ ଭେଟିବା ସହ ଭଲମନ୍ଦ ବୁଝିଥିଲେ । ଗିରଫ ଛାତ୍ରଙ୍କୁ ଭେଟିବା ପରେ ଶ୍ରୀ ଦାସ କହିଛନ୍ତି, ଅଣ୍ଡାମାଡ ମନ୍ତ୍ରୀଙ୍କ ଦେହରେ ବାଜି ନାହିଁ କି ତାଙ୍କ ଘର ଭିତରେ ପଡ଼ିନାହିଁ । କେବଳ ପାଚେରୀ ପାଖରେ ପଡ଼ିଛି । ଏହା କ’ଣ ଗୁରୁତର ଅପରାଧ ବୋଲି ପ୍ରଶ୍ନ କରିଥିଲେ । ଶ୍ରୀ ଦାସ ଆହୁରି କହିଥିଲେ ଯେ, ଯଦି ଏହା ଅପରାଧ, ଫକୀର ମୋହନ କଲେଜ ଶିକ୍ଷା ବିଭାଗର ମୁଖ୍ୟ, ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ମୃତା ଛାତ୍ରୀ ଜଣଙ୍କ ଗୁହାରି କରିଥିଲେ କିନ୍ତୁ ତାଙ୍କ ଏଫ.ଆଇ.ଆର ହେଲା ନାହିଁ । ତାହା କ’ଣ ଅପରାଧ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଶାସନ ଆସିବା ପୂର୍ବରୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେତେ ନାଚିଛନ୍ତି କେତେ ବିରୋଧ କରିଛନ୍ତି ତାହା କ’ଣ ଅପରାଧ ନ ଥିଲା? ପୁଲିସ ଅପରାଧ କରିପାରିବେ, ମନ୍ତ୍ରୀ ଅପରାଧ କରିପାରିବେ କିନ୍ତୁ ଛାତ୍ର କଂଗ୍ରେସ ଦୁଇଟା ଅଣ୍ଡ ଫିଙ୍ଗି ଜେଲ ଯିବେ ଏହା କି ପ୍ରକାର ନିୟମ । କଂଗ୍ରେସ ଦଳ ଆଇନକୁ ସମ୍ମାନ ଦେଉଛି । ଯଦି ଆମେ ଆଇନ ହାତକୁ ନେବୁ ତେବେ ବିଜେପି ନେତା ଓ ମନ୍ତ୍ରୀ ରାଜରାସ୍ତାରେ ଚାଲିପାରିବେ କି ବୋଲି କହିଛନ୍ତି ପିସିସି ସଭାପତି । ପିସିସି ସଭାପତି ଶ୍ରୀ ଦାସଙ୍କ ସହ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ, କଂଗ୍ରେସ ପାର୍ଥୀ ନିରଞ୍ଜନ ନାୟକ, ସୁଧାଂଶୁ ଦେଓ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ସହ ଉପସ୍ଥିତ ଥିଲେ । Post navigation କଟକ ଓ ଆଖପାଖ ଅଂଚଳକୁ ଏକ ସମୃଦ୍ଧ ମଡେଲ ଅଂଚଳ ଭାବେ କରାଯିବ ବିକଶିତ: ମୁଖ୍ୟମନ୍ତ୍ରୀ