ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆସିଲା ରାୟ । ପାଟଣାଗଡ଼ ଏଡିଜେ କୋର୍ଟ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ । ୭ ବର୍ଷ ବ୍ୟବଧାନ ପରେ ତଦନ୍ତ ପରେ ଆଜି ରାୟ ଶୁଣାଇଛନ୍ତି କୋର୍ଟ । ୨ ହଜାର ପୃଷ୍ଠାର ଚାର୍ଜସିଟ୍ ଓ ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ସହ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ ଦୋଷୀ ସାବ୍ୟସ୍ତ ହୋଇଛି ପୁଞ୍ଜିଲାଲ ।

ସୂଚନା ଅନୁସାରେ, ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ବଲଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘରକୁ ପାର୍ସଲ ବୋମା ପଠାଇଥିଲେ । ଗତ ୨୦୧୮ ମସିହାରେ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ହୋଇଥିଲା । ଉପହାର ଖୋଲୁଥିବା ସମୟରେ ଉପହାରରେ ଆସିଥିବା ପାର୍ସଲ ବୋମାକୁ ମଧ୍ୟ ଖୋଲିବା ସମୟରେ ତାହା ବିସ୍ପୋରଣ ହୋଇଥିଲା ।

ଏହି ଘଟଣାରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ତନାଘନା ଯାଞ୍ଚ କରିଥିଲା। ବଲାଙ୍ଗୀର ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ତନାଘନା ଯାଞ୍ଚ କରି ଅଭିଯୁକ୍ତ ପୁଞ୍ଜିଲାଲକୁ ଗିରଫ କରିଥିଲେ ।

 

Leave a Reply

Your email address will not be published. Required fields are marked *