ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଶାନ୍ତିପୂର୍ଣ୍ଣ ଓ ସୁଚାରୁରୂପେ ସମ୍ପାଦନ କରିବା ପାଇଁ କମିଶନଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ବୁଥ୍ ଗୁଡ଼ିକ ସଠିକ୍ ଅବସ୍ଥାରେ ଅଛି କି ନାହିଁ, ତାହା ପରଖିବା ପାଇଁ ଫିଜିକାଲ୍ ଭେରିଫିକେସନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ୍ ଏବଂ ପୌର ଅଧିକାରୀମାନଙ୍କୁ ସିଧାସଳଖ ବୁଥ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବାକୁ କୁହାଯାଇଛି। ଯେଉଁ ବୁଥ୍ଗୁଡ଼ିକରେ କୌଣସି ପ୍ରକାର ସମସ୍ୟା ରହିଛି, ତାହାର ତୁରନ୍ତ ସୁଧାର କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି। ସେହିପରି ନିର୍ବାଚନ ସମୟରେ ସୋସିଆଲ୍ ମିଡିଆରେ AI ଜରିଆରେ ହେଉଥିବା ଅପପ୍ରଚାର ଓ ଗୁଜବକୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। କୌଣସି ସ୍ଥାନରୁ ଅସାମାଜିକ କାର୍ଯ୍ୟକଳାପ କିମ୍ବା ମିଥ୍ୟା ସୂଚନା ନେଇ ଅଭିଯୋଗ ଆସିଲେ, ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମେ ପଞ୍ଚାୟତ ନିର୍ବାଚନ ଏବଂ ତାହା ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ୍ ପ୍ରଥମ ସପ୍ତାହରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ, ଏପ୍ରିଲ୍ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରୁ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ସରକାରଙ୍କ ଦ୍ୱାରା ଅକ୍ଟୋବର ୩୧ ସୁଦ୍ଧା ଶେଷ କରାଯିବ। ଏତଦ୍ବ୍ୟତୀତ, ଫେବ୍ରୁଆରୀ ୧୦ ସୁଦ୍ଧା ଭୋଟର ଲିଷ୍ଟ ପ୍ରସ୍ତୁତି ଶେଷ ହେବ ଏବଂ ଏହି ସମସ୍ତ ସୂଚନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲାଇଜେସନ୍ କରାଯିବ। Post navigation Under-Construction Building Collapses in BBSR: ଭୁବନେଶ୍ୱରରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; କେତେକ ଶ୍ରମିକ ଆହତ Student Elections in Odisha: ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ: ସୂର୍ଯ୍ୟବଂଶୀ ସୂରଜ