ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲିର ଆକ୍ରମଣ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରି, ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଶବାସୀଙ୍କୁ ଆକ୍ରମଣର ସୂଚନା ଦେଇଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି, ଧାର୍ମିକ ସ୍ଥଳକୁ ଆକ୍ରମଣ କରୁଛି ପାକିସ୍ତାନ  । ଗତ ରାତିରେ ପାକିସ୍ତାନ ଭାରତୀୟ ସହର ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ସୈନିକମାନେ ଏହି ଆକ୍ରମଣର ସମାନୁପାତିକ, ପର୍ଯ୍ୟାପ୍ତ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ଜବାବ ଦେଇଥିଲେ। ମେ ୭ ସକାଳେ ନିୟନ୍ତ୍ରଣ ରେଖାରେ ପ୍ରବଳ ଗୁଳିବର୍ଷା ସମୟରେ ଗୋଟିଏ ଗୁଳି ପୁଞ୍ଚର ଖ୍ରୀଷ୍ଟ ସ୍କୁଲର ଠିକ୍ ପଛରେ ପଡ଼ିଥିଲା । ଏହା ସ୍କୁଲର ଦୁଇ ଛାତ୍ରଙ୍କ ଘର ଉପରେ ପଡ଼ିଥିଲା, ଯେଉଁମାନେ ଦୁର୍ଭାଗ୍ୟବଶତଃ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କ ଅଭିଭାବକ ଆହତ ହୋଇଥିଲେ। ପାକିସ୍ତାନ ଗୁରୁଦ୍ୱାର, ଚର୍ଚ୍ଚ ଏବଂ ମନ୍ଦିର ସମେତ ଧାର୍ମିକସ୍ଥଳ ଗୁଡ଼ିକୁ ଟାର୍ଗେଟ କରି ଗୁଳିବର୍ଷା ଜାରି ରଖିଛି।

ସେହିପରି ଅମୃତସର ଆକ୍ରମଣ କରିବା ନେଇ ପାକିସ୍ତାନର ବିବୃତ୍ତି ହାସ୍ୟାସ୍ପଦ ଅଟେ । ପାକିସ୍ତାନ ନିଜର କାର୍ଯ୍ୟକୁ ସ୍ୱୀକାର କରିବା ପରିବର୍ତ୍ତେ ଏକ ଅବାନ୍ତର ଏବଂ ଘୃଣ୍ୟ ଦାବି କରିଛି ଯେ ଭାରତୀୟ ସଶସ୍ତ୍ର ବାହିନୀ ଅମୃତସର ଭଳି ନିଜ ସହରକୁ ଟାର୍ଗେଟ କରୁଛି ଏବଂ ପାକିସ୍ତାନ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି। ଏହାର ଇତିହାସ ଦର୍ଶାଉଛି ଯେ ଏହା ଏପରି କାର୍ଯ୍ୟରେ ପାରଙ୍ଗମ। ପାକିସ୍ତାନ ଭୁଲ ସୂଚନା ପ୍ରସାର କରିଛି ଯେ ଭାରତ ଡ୍ରୋନ ଆକ୍ରମଣ ମାଧ୍ୟମରେ ନାନକାନା ସାହିବ ଗୁରୁଦ୍ୱାରକୁ ଟାର୍ଗେଟ କରିଥିଲା, ଯାହା ଆଉ ଏକ ସ୍ପଷ୍ଟ ମିଛ । ପାକିସ୍ତାନ ଏକ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପରିସ୍ଥିତିକୁ ସାମ୍ପ୍ରଦାୟିକ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି  ।

କର୍ଣ୍ଣେଲ ସୋଫିଆ କ୍ୟୁରେସୀ କହିଛନ୍ତି, ମେ ୮-୯ ରାତିରେ ପାକିସ୍ତାନ ପଶ୍ଚିମ ଭାରତରେ ଥିବା ସାମରିକ ଠିକଣାକୁ ଟାର୍ଗେଟ୍ କରିଛି । ଏତେ ବଡ଼ ଡ୍ରୋନ୍ ଆକ୍ରମଣର ଉଦ୍ଦେଶ୍ୟ ଥିଲା ଯେ ସେମାନେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଶକ୍ତି ଜାଣିବାକୁ ଚାହୁଁଥିଲେ। ପ୍ରାୟ ୩୬ଟି ସ୍ଥାନ ବାୟୁସେନା ଠିକଣାକୁ ଟାର୍ଗେଟ୍ କରି ୩୦୦ରୁ ୪୦୦ରୁ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହାକୁ ସବୁ ବାୟୁ ପ୍ରତିରକ୍ଷା କାଇନାଟିକ୍ ଓ ନନ୍ କାଇନାଟିକ୍ ଦ୍ୱାରା ନିଷ୍କ୍ରିୟ କରାଯାଇଛି । ଆଜି ସକାଳୁ ବିଭିନ୍ନ ସ୍ଥାନରୁ ଡ୍ରୋନର ଭଗ୍ନାବେଶଷକୁ ଜବତ କରାଯାଇ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଫରେନସିକ୍ ଯାଞ୍ଚରୁ ଜଣାପଡ଼ିଛି ପାକିସ୍ତାନ ତୁର୍କୀରେ ନିର୍ମାଣ ଡ୍ରୋନକୁ ବ୍ୟବହାର କରିଛି । ଭଟିଣ୍ଡା ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା, ଏକ UAV ସହିତ ପ୍ରୟାସ କରାଯାଇଥିଲା, ଯାହାକୁ ଧ୍ୱଂସ କରାଯାଇଛି । ଜମ୍ମୁ ଏବଂ କାଶ୍ମୀରରେ କିଛି ଭାରତୀୟ ସୈନ୍ୟ ଆହତ ହୋଇଛନ୍ତି । କିନ୍ତୁ ପାକିସ୍ତାନୀ ସେନାର ମଧ୍ୟ ବହୁତ କ୍ଷତି ହୋଇଛି ।

ସେ ଆଉ ମଧ୍ୟ କହିଛନ୍ତି ପାକିସ୍ତାନ ନିଜକୁ ବଞ୍ଚାଇବାକୁ ପାକିସ୍ତାନ ସାଧାରଣ ଲୋକଙ୍କ ଜୀବନ ସହ ଖେଳିଥିବା ଜଣାପଡ଼ିଛି । ଗତକାଲି ପାକିସ୍ତାନ ଆକ୍ରମଣ ପରେ ଭାରତ ପକ୍ଷରୁ ୪ଟି କାଉଣ୍ଟର ଡ୍ରୋନ୍ ଛଡ଼ା ଯାଇଥିଲା । କିନ୍ତୁ ଏହି ସମୟରେ ପାକିସ୍ତାନ ଏହାର ବେସାମରିକ ବିମାନକୁ ଢାଲ ଭାବରେ ବ୍ୟବହାର କରିଛି । ଆକ୍ରମଣ ସମୟରେ ପାକିସ୍ତାନ କରାଚୀ-ଲାହୋର ବିମାନକୁ କାର୍ଯ୍ୟକ୍ଷମ ରଖିଥିବାବେଳେ ଦମ୍ମାମ-ଲାହୋର ବିମାନକୁ ଅବତରଣ କରିଥିଲା । କିନ୍ତୁ ଭାରତ ନିଜର ସଂଯମତା ରକ୍ଷା କରି କୌଣସି ବେସାମରିକ ବିମାନକୁ କ୍ଷତି ପହଞ୍ଚାଇବାକୁ ଦେଇ ନଥିଲା ।

ସେହିପରି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି, “ପାକିସ୍ତାନୀ ଆକ୍ରମଣର ଜବାବରେ, ପାକିସ୍ତାନର ଚାରୋଟି ବାୟୁ ପ୍ରତିରକ୍ଷା ସ୍ଥଳ ଉପରେ ସଶସ୍ତ୍ର ଡ୍ରୋନ ଆକ୍ରମଣ କରାଯାଇଛି । ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ଗୋଟିଏ ଏୟାର ଡିଫେନସ୍ ରାଡାରକୁ ନଷ୍ଟ କରିବାରେ ସକ୍ଷମ ଥିଲା। ପାକିସ୍ତାନ ମଧ୍ୟ ଭାରୀ କ୍ୟାଲିବର ତୋପ ଏବଂ ସଶସ୍ତ୍ର ଡ୍ରୋନ ବ୍ୟବହାର କରି ନିୟନ୍ତ୍ରଣ ରେଖା ଦେଇ ଗୁଳି ଚଳାଇଥିଲା, ଯାହା ଫଳରେ କିଛି ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *