ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ ‘ପଖାଳ ପରବ’ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପଖାଳକୁ କେବଳ ଏକ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ । ମୁଖ୍ୟମନ୍ତ୍ରୀ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ କଥା କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ କେବଳ ଗରିବର ଖାଦ୍ୟ ନୁହେଁ, ବରଂ ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ‘ଟଙ୍କ ତୋରାଣି’ ଏବଂ ପଖାଳ ଭୋଗ ଲାଗି ହୋଇଥାଏ। ଭଗବାନଙ୍କ ପାଖରେ ଏହି ସରଳ ଖାଦ୍ୟର ଅର୍ପଣ ଦର୍ଶାଏ ଯେ ସାଧାରଣ ଜୀବନଶୈଳୀ କେତେ ଶୁଦ୍ଧ। ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା ‘ଜିରୋ ୱେଷ୍ଟ’ ଖାଦ୍ୟ। ପଖାଳର ପ୍ରୋ- ବାୟୋଟିକ ଗୁଣ ବିଷୟରେ କହି ମୁଖ୍ୟମନ୍ତ୍ରୀ ପଖାଳରେ ଥିବା ହିତକର ଜୀବାଣୁ, ଯାହା ଦେହରେ ଥିବା ଅନିଷ୍ଟକାରି ଜୀବାଣୁଙ୍କୁ ମାରି ଦେଇ ଥାଆନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ। ସେ କହିଥିଲେ ଯେ, ବିଶ୍ୱ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉ ନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି। ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆମାନେ ଏହି ଦିନକୁ ଗର୍ବର ସହିତ ପାଳନ କରୁଛନ୍ତି। ପଖାଳ, ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି। ଏହା ଆମକୁ ଗର୍ବିତ କରୁଛି ଯେ ଆମର ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚି ପାରୁଛି। ପଖାଳ ପରବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇଥିଲେ ଏବଂ ଯୁବ ପିଢ଼ିଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱରେ, ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମର ମୂଳ ସହିତ ମଧ୍ୟ ଯୋଡି ହୋଇରହିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପଖାଳ ଦିବସ ଆଜି ଆମ ସରକାରଙ୍କ ‘ବିକଶିତ ଓଡ଼ିଶା’ ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନିଜର ପୁରାତନ ସଂସ୍କୃତିକୁ ସୁରକ୍ଷିତ ରଖି ଆଧୁନିକତା ଆଡ଼କୁ ଦୃଢ଼ ଭାବେ ଅଗ୍ରସର ହେବା ହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଏହାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ପାଇଁ ଆମ ସରକାର ଯେଉଁ ନିରନ୍ତର ଉଦ୍ୟମ କରୁଛନ୍ତି, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ନୂତନ ଆଶା ଏବଂ ଗର୍ବ ସୃଷ୍ଟି କରିଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର, ସମେତ ୧୫ ଟି ରାଜ୍ୟରୁ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ବିଶ୍ୱସ୍ତର ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ (Chef) ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଶେଷକରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୭ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଖାଳ, ଅବହେଳିତ ସମ୍ପ୍ରଦାୟ (underprivileged community ) ର ୨୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ମାନଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାନ୍ଥନିବାସ ଠାରେ ସମସ୍ତ ଅତିଥି ମାନଙ୍କ ସହ ଓଡ଼ିଆ ଖାଦ୍ୟ ମେଳା ବୁଲି ଦେଖିଥିଲେ ଏବଂ ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିକୁ ଅନେକ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କ ସହ ପଖାଳ ଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ମଂଚାସୀନ ଥିବା ବେଳେ ବିଧାୟକଗଣ ଏବଂ ବିଶେଷ ଅତିଥିଗଣ ଉପସ୍ଥିତ ଥିଲେ। Post navigation Anti-Drug Crackdown: ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା Premium Petrol Hike: ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍ ଦାମ୍