ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି, ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ ରହିଥିବା ପ୍ରମୁଖ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରକଳ୍ପଟିର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ଅବଶିଷ୍ଟ ଜମି ଅଧିଗ୍ରହଣ ଓ ବାଧାମୁକ୍ତ ଜମି ହସ୍ତାନ୍ତର ସୁବ୍ୟବସ୍ଥିତ କରିବା ନିମନ୍ତେ ରାଜସ୍ୱ ସଚିବ ଡ. ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି l ସୂଚନାଯୋଗ୍ୟ ଯେ, ୧୪୯.୭୮ କି.ମି. ଦୀର୍ଘ ଏହି ରେଳପଥ ପ୍ରକଳ୍ପ ୨୦୦୩-୦୪ ମସିହାରେ ଅନୁମୋଦିତ ହୋଇଥିଲା । ପ୍ରକଳ୍ପର ମୋଟ ଜମି ଆବଶ୍ୟକତା ୨,୧୪୪.୦୨୮ ଏକର ଥିବାବେଳେ ଏପର୍ଯ୍ୟନ୍ତ ୧,୮୬୮.୩୫୭ ଏକର ଜମି ଅଧିଗ୍ରହଣ ହୋଇଛି ଏବଂ ୨୭୫.୬୭୧ ଏକର ଜମି ଅବଶିଷ୍ଟ ରହିଛି । ଏଥିରେ ବ୍ୟକ୍ତିଗତ ଜମି ୨୦୨.୧୫ ଏକର, ଜଙ୍ଗଲ ଜମି ୧୩.୭ ଏକର ଏବଂ ସରକାରୀ ଜମି ୫୯.୮୨୧ ଏକର ଅନ୍ତର୍ଭୁକ୍ତ । ଜଙ୍ଗଲ ଜମି ପାଇଁ Stage-I Forest Clearance ପ୍ରକ୍ରିୟା ଚାଲିଥିବାବେଳେ ସରକାରୀ ଜମିର ଅନୁମୋଦନ/Alienation ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି । ଏହି ପ୍ରକଳ୍ପ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଛି । ସମୀକ୍ଷାରେ ରେଳପଥ ଅବଶିଷ୍ଟ ଜମି ଅଧିଗ୍ରହଣ, କ୍ଷତିପୂରଣ, ଅଦାଲତରେ ବିଚାରାଧୀନ ମାମଲା ଏବଂ ଅଧିଗ୍ରହଣ କରାଯାଇଥିବା ଜମିର ସମୁଚିତ ହସ୍ତାନ୍ତର ଆଦି ବିଷୟଗୁଡ଼ିକ ଉପରେ ସୁବିସ୍ତୃତ ଆଲୋଚନା କରାଯାଇଛି । ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପଟି ରାଜ୍ୟର ଆର୍ଥିକ ଭାବେ ପଛୁଆ ଅଞ୍ଚଳଗୁଡ଼ିକୁ ରେଳ ସଂଯୋଗ ପ୍ରଦାନ କରିବା ସହ ରେଳ ପରିବହନକୁ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସୁତରାଂ ପ୍ରକଳ୍ପର ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଉଚିତ୍ ପ୍ରକ୍ରିୟାରେ ଜମି ହସ୍ତାନ୍ତର ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ବୈଠକରେ ରେଳ ସମନ୍ଵୟ କମିଶନର୍ କୌସ୍ତୁଭ ଦୀପ୍ତ ପାଣି, ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ପ୍ରିଜାଇଡିଂ ଅଫିସର୍ ଅଭିଜିତ୍ ପଲେଇ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । Post navigation Odisha Weather Updates: ୨୪ ଘଣ୍ଟା ମଧ୍ୟରେ ପୁଣି ଲଘୁଚାପ ସମ୍ଭାବନା बीजेपी की नई टीम की पहली बैठक; ‘वंदे मातरम’ को लेकर महत्वपूर्ण प्रस्ताव पारित