ଓଡ଼ିଶାରେ ନୂଆ କରି ଗଠନ ହୋଇଥିବା ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ । ରାଜ୍ୟରେ ନୂଆ କରି ଗଠନ ହୋଇଥିବା ବିଜ୍ଞପ୍ତି ଅଞ୍ଚଳ ପରିଷଦ (NAC), ପୌରପାଳିକା ଏବଂ ମହାନଗର ନିଗମଗୁଡ଼ିକରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ନୂଆ ୨୮ ଏନଏସି, ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ସୀମା ପୁନଃନିର୍ଦ୍ଧାରଣ, ସଂରକ୍ଷଣ ପ୍ରସ୍ତାବ ଉପରେ ଅଭିଯୋଗ ଶୁଣାଣି ହେବ । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ୱାର୍ଡଗୁଡ଼ିକର ସୀମା ନିର୍ଦ୍ଧାରଣ (Delimitation) ଏବଂ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସରକାରଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ: ଫେବୃଆରୀ ୧୨ ରୁ ୨୧ରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣକୁ ନେଇ ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ଆପତ୍ତି ଗ୍ରହଣ କରାଯିବ। ଫେବୃଆରୀ ୨୬ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୧୩ରେ ପୁନର୍ବାର ଯଦି କାହାର କିଛି ଅଭିଯୋଗ ଥାଏ, ତେବେ ସେମାନେ ନିଜର ଆପତ୍ତି ଦାଖଲ କରିପାରିବେ। ମାର୍ଚ୍ଚ ୧୬ ରୁ ୨୮ରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗର ଶୁଣାଣି କରାଯିବ। ମାର୍ଚ୍ଚ ୩୧ରେ ଜିଲ୍ଲାପାଳମାନଙ୍କ ଦ୍ୱାରା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ୧୮ ଟି ଜିଲ୍ଲା – ଅନୁଗୁଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ନୟାଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼, ସମ୍ୱଲପୁର, ସୁବର୍ଣ୍ଣପୁର। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପାଳନ କରି ଏହି ପଦକ୍ଷେପ ନିଆଯାଇଛି, ଯାହା ରାଜ୍ୟ ସରକାରଙ୍କୁ ନୂତନ NAC ଏବଂ ପୌରପାଳିକା ପ୍ରତିଷ୍ଠାର ଆନୁଷ୍ଠାନିକ ଘୋଷଣାର ଛଅ ମାସ ମଧ୍ୟରେ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ସମାପ୍ତ କରିବାକୁ କହିଥିଲା। ରାଜ୍ୟରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରିବା ଏକ ବାଧ୍ୟତାମୂଳକ ପଦକ୍ଷେପ। Post navigation Railway Budget: ଓଡିଶାକୁ ରେଳବାଇ କ୍ଷେତ୍ରରେ କେନ୍ଦ୍ର ବଜେଟରେ ସଂପୂର୍ଣ୍ଣ ଅବହେଳା କରାଯାଇଛି: ଭକ୍ତ ଦାସ